ଝରାଫୁଲ ଡେଥ୍ ମିଷ୍ଟ୍ରି; ରହସ୍ୟ ଖୋଲୁଛି ରୁମ ନମ୍ବର ୨୦୧

ଭୁବନେଶ୍ୱର: ଆର୍ ଡି ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁ ଉପରୁ ହଟୁନି ସସପେନ୍ସ । ୫ ଦିନ ପରେ ଅନ୍ୟ ଜଣେ ସହଯୋଗୀଙ୍କୁ ଗିରଫ କରି ପାରିନି ପୋଲିସ । ମୃତ ଦେହ ଫିଙ୍ଗିବାରେ ବ୍ୟବହୃତ ହୋଇଥିବା ସ୍କୁଟିକୁ ବି ଜବତ କରିପାରିନି ପୋଲିସ । ସତ ଖୋଜିବା ପାଇଁ ପୋଲିସ ଆରମ୍ଭ କରିଛି ତନାଘନା । ଝରାଫୁଲଙ୍କ ମୃତ୍ୟୁ ପୂର୍ବର କିଛି ମୁହୂର୍ତ୍ତ ସିସିଟିଭିରେ କଏଦ୍‌ ହୋଇଥିଲା । ଫାଷ୍ଟଫୁଡରେ ମଧ୍ୟ ତନାଘନା କରିଛି ପୋଲିସ ।

ଏହାସହ ମୃତ୍ୟୁ ପର୍ବରୁ ଗେଷ୍ଟ ହାଉସରେ ରାତି କାଟିଥିଲେ ଝରାଫୁଲ ଓ ତାଙ୍କ ପୁରୁଷ ବନ୍ଧୁ ରାକେଶ । ଖଣ୍ଡଗିରି ଗେଷ୍ଟ ହାଉସରେ ସାଇଣ୍ଟଫିକ ଟିମ ତନାଘନା କରିଛି । ତନାଘନା ସମୟରେ ଡଷ୍ଟବିନରୁ କିଛି ପ୍ରମାଣ ପୋଲିସ ହାତରେ ଲଗିଥିବା ସୂଚନା ମିଳିଛି । ରୁମ୍ ନମ୍ବର ୨୦୧କୁ ସିଲ୍ କରିଥିବା ବେଳେ ଫିଙ୍ଗର ପ୍ରଣ୍ଟି ଓ ନମୁନା ସଂଗ୍ରହ କରିଛି ଟିମ୍ । ଏହା ସହିତ ବେଡସିଟ୍, କମ୍ବଳ ଓ ତକିଆ ଜବତ ହୋଇଛି ।

ସେପଟେ ସାମ୍ନାକୁ ଆସିଥିବା ଦ୍ୱିତୀୟ ସିସିଟିଭି ଫୁଟେଜରେ ମିଳିଛି ଅନେକ କିଛି ସୂଚନା । ୨୬ ତାରିଖ ଦିନ ଭୁବନେଶ୍ୱରର ଏକ ପାଷ୍ଟଫୁଡ ଦୋକାନରେ ଝରାଫୁଲ ଓ ତାଙ୍କ ପୁରୁଷବନ୍ଧୁ ଖାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ବିରିଆନୀ ଖାଇବା ପରେ ଝରାଫୁଲ ଅସୁସ୍ଥ ହୋଇ ବାନ୍ତି କରିଥିଲେ । ପେଟ କାଟୁଥିବାରୁ ଝରାଫୁଲ କାନ୍ଦୁଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି । ଗୋଟିଏ ଦୃଶ୍ୟରେ ଝରାଫୁଲ ସ୍କୁଟିରେ ଏକାକୀ ହେଲମେଟ୍ ପିନ୍ଧି ବସିଥିବା ବେଳେ, ହୋଟେଲ ଭିତରେ ରାକେଶ ଓ ସେ ଖାଇବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । ରାକେଶ ଓ ଝରାଫୁଲ ବୁଲାବୁଲି କରି ଦିନ ୧.୦୫ରେ ସ୍କୁଟିରେ ପଳାଇଥିଲେ ।

ସିସିଟିଭି ଫୁଟେଜ ମିଳିବା ପରେ ହୋଟେଲରେ ଯାଜପୁର ପୋଲିସ ଫରେନସିକ୍ ଟିମ୍ ପହଞ୍ଚି ତଦନ୍ତ କରୁଛନ୍ତି । ଝରାଫୁଲଙ୍କ ପାଟିରୁ ଫେଣ ବାହାରିଥିବା ରାକେଶ ପୋଲିସକୁ ଜଣାଇଥିଲେ । ତେବେ ବିଷକ୍ରିୟା ହୋଇଥିଲା ନା ଆଉ କିଛି, ତାହା ଝରାଫୁଲଙ୍କ ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପାଡ଼ିବ । କିନ୍ତୁ ପ୍ରେମିକବନ୍ଧୁଙ୍କ ଉପରେ ଦୋଷ ଲଦିଛନ୍ତି ଝରାଫୁଲଙ୍କ ପରିବାର ଲୋକେ  । ରାକେଶ ସ୍ୱାଇଁ ହିଁ ତାଙ୍କ ଝିଅକୁ ହତ୍ୟା କରିଥିବା ନେଇ ଅଭିଯୋଗ କରିଥିଲେ ମୃତ ଝରାଫୁଲଙ୍କ ବାପା  ।

Leave a Reply