ଜୟପୁର ବନଖଣ୍ଡ ଡେପୁଟୀ ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୬ଟି ସ୍ଥାନରେ ଚଢାଉ

ଜୟପୁର : ଭିଜିଲାନ୍ସ ଜାଲରେ ଡେପୁଟି ରେଂଜର। କୋରାପୁଟ ଜିଲ୍ଲା ଜୟପୁର ବନଖଣ୍ଡ ଡେପୁଟି ରେଂଜର ରାମଚନ୍ଦ୍ର ନେପାକଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ। ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢାଉ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରୁଛି ଭିଜିଲାନ୍ସ। ରେଡରେ ୬ ଡିଏସପିଙ୍କ ସମେତ ୫ ଇନ୍ସପେକ୍ଟର ଓ ୯ ଜଣ ଏଏସଆଇ ଏବଂ ଅନ୍ୟ ସହକାରୀ କର୍ମଚାରୀ ସାମିଲ ଅଛନ୍ତି। ଜୟପୁର ସହର ପୈତୃକ ଘର, ଜୟପୁର ପିଆର ପେଟ୍ଟା ରୋଡରେ ଥିବା ଗୋଟିଏ ବିଲ୍ଡିଂର ଦୁଇଟି ଆପାର୍ଟମେଣ୍ଟ, ଭୁବନେଶ୍ଵର ରଘୁନାଥପୁରରେ ସମ୍ପର୍କୀୟଙ୍କ ଫ୍ଲାଟ, ଜୟପୁର ସୋମ୍ବର ତୋଟା ଥିବା ସମ୍ପର୍କୀୟଙ୍କ ଘର ଏବଂ ସରକାରୀ ବାସଭବନରେ ରେଡ୍ କରୁଛି ଭିଜିଲାନ୍ସ। ରେଡରୁ ଡେପୁଟି ରେଂଜରଙ୍କ ଅମାପ ସମ୍ପତ୍ତି ଠାବ ହୋଇଛି। ଘରୁ ୧ କୋଟି ୪୩ ଲକ୍ଷ କ୍ୟାସ ଜବତ ହେବା ସହ ଦେଢ କିଲୋ କିଲୋ ସୁନା, ସାଢେ ୪ କୋଲି ରୁପା ଅଳଙ୍କାର ଜବତ ହୋଇଛି। ଜୟପୁରରେ ବହୁତଳ କୋଠା, ଭୁବନେଶ୍ଵରରେ ଗୋଟିଏ ଥ୍ରୀ ବିଏଚକେ, ଜୟପୁର ଟାଉନରେ ଗୋଟିଏ ୨ ବିଏଚକେ ସହ ୩ଟି ଫ୍ଲାଟ ଓ ଦୁଇଟି ଦାମି ପ୍ଲଟ ଠାବ ହୋଇଛି। ଏବେ ସୁଦ୍ଧା ଗୋଟିଏ ଦାମି କାର ମଧ୍ୟ ଠାବ ହୋଇଛି। ଜୟପୁର ଗୋଲ୍ଡେନ ହାଇଟ ଆପାର୍ଟେମେଣ୍ଟର ଗୁପ୍ତ ଟ୍ରେଜେରୀରୁ ୧ କୋଟି ୩୮ ଲକ୍ଷ ୯୦ ହଜାର ଟଙ୍କା ଜବତ ହୋଇଛି। ଜୟପୁର ଟାଉନ ସ୍ଥିତ ତାଙ୍କ ଘରୁ ୪ ଲକ୍ଷ ୪୪ ହଜାର ଟଙ୍କା ଠାବ ହୋଇଛି। ସୁନା, ରୂପା ଓଜନ ପାଇଁ ଓଜନ ମେସିନ ସହ ଟଙ୍କା ଗଣିବାକୁ ଟଙ୍କା ଗତତି ମେସିନ ବ୍ୟବହାର କରାଯାଉଛି।ବ୍ୟାଙ୍କ ଜମା ଓ ଅନ୍ୟ ଆର୍ଥିକ କାରବାର ସମ୍ପର୍କରେ ଚାଲିଛି ଖୋଳତାଡ଼ ।