ଆଗକୁ ବଢୁନି ଜୟପୁର ବାଇପାସ୍ ରାସ୍ତା କାମ

ଜୟପୁର ; ଯଥା ପୂର୍ବଂ ତଥା ପରଂ । ଆଗକୁ ବଢୁନି ଜୟପୁର ବାଇପାସ୍ ରାସ୍ତା କାମ । ଦୀର୍ଘ ବର୍ଷ ପରେ ବି କାର୍ଯ୍ୟ ଶେଷ ହେଉନଥିବାରୁ ସୃଷ୍ଟି ହୋଇଛି ଜନଅସନ୍ତୋଷ । କୋରାପୁଟ ଜିଲ୍ଲାର ଜୟପୁର ମୁଖ୍ୟ ରାସ୍ତା ୩୨୬ ସହ ୨୬ ନମ୍ବର ଜାତୀୟ ରାଜପଥ ସଂଯୋଗ କରୁଛି । ପ୍ରତିଦିନ ଏହି ରାସ୍ତା ଦେଇ ବିଶାଖାପାଟଣାରୁ ରାଇପୁରକୁ ଶହ ଶହ ଭାରିଜାନ ଯିବା ଆସିବା କରୁଛି । ଯାହା ଫଳରେ ସହରରେ ଟ୍ରାଫିକ ସମସ୍ଯା ସୃଷ୍ଟି ହେଉଛି । ଜାତିୟ ରାଜପଥ ରାସ୍ତା ପାର୍ଶ୍ବରେ ବିକ୍ରମ ଦେବ ବିଶ୍ବ ବିଦ୍ୟାଳୟ ସାଙ୍ଗକୁ ସରକାରୀ ମହିଳା ମହାବିଦ୍ୟାଳୟ ଥିବାରୁ ସବୁବେଳ ଦୁର୍ଘଟଣା ବିପଦ ରହିଛି । ହେଲେ ୮୪.୫୮ କୋଟି ବ୍ୟୟରେ ୨୦୨୩ରୁ ଆରମ୍ଭ ହୋଇଥିବା ଏହି ବାଇପାସ୍ ରାସ୍ତା କାମ ସରିବାର ନାଁ ଧରୁନି । ନୁଆଁ ସରକାର ଆସିବା ପରେ କାହିକିଁ କାର୍ଯ୍ୟ ବଢିପାରୁନାହିଁ । ଏଥିପାଇଁ ଜାତୀୟ ରାଜପଥ ଦାୟୀ ନା ଅନ୍ୟ କେହି ବୋଲି ପ୍ରଶ୍ନ ଉଠିଛି । ଗତ ଜିଲ୍ଲା ପରିଷଦ ବୈଠକରେ ବି ଜାତିୟ ରାଜପଥ ବିଭାଗ ଉପରେ ବର୍ଷିଥିଲେ ଜନ ପ୍ରତିନିଧି । ତୁରନ୍ତ କାର୍ଯ୍ୟ ସଂପୁର୍ଣ୍ଣ ନହେଲେ ଆଗାମୀ ଦିନରେ ଏକ ବିରାଟ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଜୟପୁର ଜନସାଧାରଣ ।
ଜୟପୁର ଜାତୀୟ ରାଜପଥ ବିଭାଗକୁ ଦାୟୀ କରିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । ବିଭାଗର ଅପାରଗତା ଯୋଗୁଁ କାର୍ଯ୍ୟ ଆଗକୁ ବଢିପାରୁନାହିଁ । ନିଶ୍ଟିତ ଭାବେ ଏ ନେଇ ରାଜ୍ଯ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି ବିଧାୟକ । ଏପଟେ ଯଥାଶୀଘ୍ର ବାଇପାସ ରାସ୍ତା କରିବାକୁ ଉଦ୍ୟମ ଚାଲିଛି ବୋଲି କହିଛନ୍ତି କୋରାପୁଟ ଜିଲ୍ଲାପାଳ । ଠିକାଦାରଙ୍କୁ ଏତେ ସହାନୁଭୁତି କାହିକିଁ ଦେଖାଉଛି ଜାତୀୟ ରାଜପଥ ବିଭାଗ ? ଠିକାଦାର ଓ ବିଭାଗ ମଧ୍ଯରେ ମଧୁଚନ୍ଦ୍ରିକା ଯୋଗୁ ରାସ୍ତା କାମ ବିଳମ୍ବ ନେଇ ଅଭିଯୋଗ ବାଢିଛନ୍ତି ସ୍ଥାନୀୟଲୋକ ।