ଅପରାଧ: ସୁନା ଦୋକାନରେ ଫୁଟିଲା ଗୁଳି, ଅଟୋ ଡ୍ରାଇଭରଙ୍କୁ ରକ୍ତାକ୍ତ ଆକ୍ରମଣ

ସମ୍ବଲପୁର/ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ଓ ସମ୍ବଲପୁରରେ ଜଘନ୍ୟ କାଣ୍ଡ । ସମ୍ବଲପୁରରେ ସୁନା ଦୋକାନରେ ଗୁଳି ଫୁଟାଇ ଲୁଟ ଅଭିଯୋଗ ହୋଇଥିବା ବେଳେ, ରାଜଧାନୀରେ ଜଣେ ଅଟୋ ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ସମ୍ବଲପୁରରେ ଗୁଳିମାଡ଼ କରି ସୁନା ଦୋକନରୁ ଲୁଟ୍ କରାଯାଇଛି । ଧନୁପାଲି ଅଞ୍ଚଳରେ ଥିବା ନ୍ୟୁ ପାୟଲ ଜୁଏଲାରୀରୁ ଏହି ଲୁଟ ହୋଇଛି । ସୁନା ଦୋକାନର ମାଲିକଙ୍କୁ ଗୁଳିମାଡ଼ କରି ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ। ୬ ଦୁର୍ବୃତ୍ତ ଦୋକାନରେ ପଶି ଏହି ଲୁଟ କରିଛନ୍ତି। ଦୋକାନ ମାଲିକ ସୁଜିତ ସୁନାରଙ୍କ ପେଟରେ ଦୁଇଟି ଗୁଳି ବାଜିଛି । ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ୩ଟି ବାଇକରେ ଦୁର୍ବୃତ୍ତମାନେ ଆସି ଲୁଟ କରି ଫେରାର ହୋଇଯାଇଛନ୍ତି । ତେବେ କେତେ ସୁନା ଲୁଟ ହୋଇଛି ଏହାର ସଠିକ ତଥ୍ୟ ମିଳିପାରିନାହିଁ । ଧନୁପାଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି ।

ଏପଟେ ରାଜଧାନୀ ଭୁବନେଶ୍ବର ଜଣେ ଅଟୋ ଡ୍ରାଇଭରଙ୍କ ରକ୍ତରେ ଲାଲ ହୋଇଛି । ମଦନପୁର ଅଞ୍ଚଳରେ ଅଟୋ ଡ୍ରାଇଭରଙ୍କୁ ଦୁର୍ବୃତ୍ତମାନେ ଗୋଡାଇ ଗୋଡାଇ ହାଣିଛନ୍ତି ।  ୩ଟି ବାଇକରେ ୬ ଜଣ ଅଜଣା ଯୁବକ ଆସି ଖଣ୍ଡାରେ ଡ୍ରାଇଭରକୁ ହାଣି ଫେରାର ହୋଇଯାଇଛନ୍ତି । ଗୁରୁତର ଅବସ୍ଥାରେ ଅଟୋ ଡ୍ରାଇଭରଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । ସିସିଟିଭି ଫୁଟେଜ ଆଧାରରେ ଘଟଣାର ତଦନ୍ତ କରୁଛି ଇନଫୋଭ୍ୟାଲି ପୋଲିସ ।