ବିଜେଡିରୁ ନିଲମ୍ୱିତ ହେଲେ ଜୀବନ ପ୍ରଦୀପ ଦାଶ, ଉଚିତ ପଦକ୍ଷେପ ବୋଲି କହିଲେ ପ୍ରମିଳା ମଲ୍ଲିକ

1 min read

ଭୁବନେଶ୍ୱର: ବିଜୁ ଜନତା ଦଳ(ବିଜେଡି)ରୁ ବିଦା ହେଲେ ବାଲେଶ୍ୱରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ । ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଶ୍ରୀ ଦାସଙ୍କୁ ଦଳରୁ ନିଲମ୍ୱିତ କରାଯାଇଛି  । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ଦଳରୁ ନିଲମ୍ୱିତ କରାଯାଇଛି । ଏ ନେଇ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ । ସଦ୍ୟ ସମାପ୍ତ ବାଲେଶ୍ୱର ଉପ-ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟ କରିଥିବା ସୂଚନା ମିଳିଥିଲା ।

ବାଲେଶ୍ୱର ସଦର ଉପ -ନିର୍ବାଚନରେ ଦଳୀୟ ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ ଜିତାଇବାକୁ ଚେଷ୍ଟା କରିବା ପରିବର୍ତ୍ତେ ତାଙ୍କୁ ପରାଜିତ କରିବା ନେଇ ଗୁପ୍ତ ମନ୍ତ୍ରଣା କରିଥିବା ସୂଚନା ମିଳିଛି । ଏଭଳି କି ତାଙ୍କ କର୍ମୀ ବିଜେଡି ଛାଡ଼ି ଅନ୍ୟ ଦଳରେ ମିଶିଥିବା ମଧ୍ୟ ସୂଚନା ରହିଛି । ଗତ ସାଧାରଣ ନିର୍ବାଚନରେ ଶ୍ରୀ ଦାଶ ପରାଜିତ ହୋଇଥିଲେ । କିନ୍ତୁ ଚଳିତ ଉପ ନିର୍ବାଚନରେ ମଧ୍ୟ ନିର୍ବାଚନ ଲଢ଼ିବାର ଆକାଂକ୍ଷା ରହିଥିଲା କିନ୍ତୁ ତାହା ପୂରା ହୋଇପାରିନଥିଲା । ଏଣୁ ସେ ଦଳୀୟ ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ ହରାଇବାକୁ ଚକ୍ରାନ୍ତ କରିଥିବା କୁହାଯାଉଛି ।

ଜୀବନ ପ୍ରଦୀପ ଦାସଙ୍କୁ ନିଲମ୍ବନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ନେତ୍ରୀ  ପ୍ରମିଳା ମଲ୍ଲିକ  ।  ପ୍ରମିଳା କହିଛନ୍ତି ଯେ, ଯିଏ ଦଳ ବିରୋଧୀ କାର୍ଯ୍ୟ କରିବ ତା’ ଉପରେ କାର୍ଯ୍ୟାନୁଷ୍ଠାନ ହେବ । ୨୦୦୦ ମସିହାରୁ ଦଳ ବିରୋଧୀ କାର୍ଯ୍ୟାନୁଷ୍ଠାନ  କରା ହୋଇ ଆସୁଛି । ସୁପ୍ରିମୋ ଦଳ ବିରୋଧୀ କାର୍ଯ୍ୟ ଅନୁଭବ କରିଥିବାରୁ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବୋଲି ପ୍ରମିଳା କହିଛନ୍ତି । ସେହିପରି ଜୀବନ ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି କି ବୋଲି ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ  ପ୍ରମିଳା କହିଛନ୍ତି ଯେ,  ସେ (ଜୀବନ ପ୍ରଦୀପ ଦାଶ )ଛୋଟ ପିଲା ନୁହଁନ୍ତି ଯେ ଷଡ଼ଯନ୍ତ୍ରର ଶିକାର ହେବେ । ସେହିପରି ତାଙ୍କ ଦଳ ବିରୋଧୀ କାର୍ଯ୍ୟ ଯୋଗୁ ଭୋଟ ଉପରେ କିଛି ପ୍ରଭାବ ପଡିବନି ବୋଲି ପ୍ରମିଳା ଦୃଢୋକ୍ତି ପ୍ରକାଶ କରିଛନ୍ତି ।

Leave a Reply