ବଢ଼ିଲା JEE, NEET ପରୀକ୍ଷା ଘୁଞ୍ଚାଇବାକୁ ଦାବି: ବିରୋଧୀଙ୍କ ବୈଠକରେ ସାମିଲ ହେବେନି ଓଡ଼ିଶା ମୁଖ୍ୟମନ୍ତ୍ରୀ

1 min read

ନୂଆଦିଲ୍ଲୀ: କରୋନା ସମୟରେ ଅନୁଷ୍ଠିତ ହେବାକୁ ଯାଉଛି JEE ଓ NEET ପରୀକ୍ଷା . ତେବେ ପରୀକ୍ଷା ହେଲେ ଅନେକ ସମସ୍ୟାରେ ପଡିବେ ଛାତ୍ରଛାତ୍ରୀ ତେଣୁ ପରୀକ୍ଷା ଘୁଞ୍ଚାଇବାକୁ ଦାବି କରୁଛନ୍ତି ବିରୋଧି । ଗୋଟେପଟେ ମୋଦି ସରକାର ଏହି ଦୁଇଟି ପରୀକ୍ଷାକୁ ଠିକ୍ ସମୟରେ କରିବାକୁ ଜିଦ୍ ଧରି ବସିଥିବା ବେଳେ ଅନ୍ୟପକ୍ଷରେ ପରୀକ୍ଷା ସ୍ଥଗିତ ରଖିବାକୁ କଂଗ୍ରେସ ରାଜ ରାସ୍ତାରେ ଓହ୍ଲାଇଛି । ଦିଲ୍ଲୀର ଶାସ୍ତ୍ରୀ ଭବନ ବାହାରେ, ଏନଏସୟୁଆଇ କର୍ମୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆମରଣ ଅନସନରେ ବସିଛନ୍ତି।

ଏ ନେଇ ଆଜି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୈଠକ ଡାକିଛନ୍ତି  । ଅପରାହ୍ନରେ ହେବାକୁ ଥିବା ଏହି ବୈଠକରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ପ୍ରମୁଖ ଯୋଗଦେବେ ବୋଲି ଜଣାପଡିଛି । ଯେଉଁଥିରେ JEE ଓ NEET ପରୀକ୍ଷା ନେଇ ଆଲୋଚନା କରାଯିବ ।

ତେବେ ଏହି ବୈଠକରେ ସାମିଲ ହେବେନି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ବିଏସପି, ଆମ ଆଦମ ପାର୍ଟି ସମେତ ଅନ୍ୟ ବିରୋଧି ଦଳ ମଧ୍ୟ ପରୀକ୍ଷା ବାତିଲ କରିବା ପାଇଁ ଦାବି କରିଆସୁଛନ୍ତି । କରୋନା ବିପକ୍ଷରେ ସାରା ଦେଶରେ ଲଢେଇ ଜାରି ରହିଛି । ଏଭଳି ସମୟରେ ପରୀକ୍ଷା ହେଲେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ ଏହାର ପ୍ରଭାବ ପଡିବ ବୋଲି ବିରୋଧି କହିଛନ୍ତି ।

ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ କେନ୍ଦ୍ର ସରକାର JEE ଓ NEET ପରୀକ୍ଷା କରିବା ପାଇଁ ତାରିଖ ଘୋଷଣା କରିଛନ୍ତି । ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ JEE ପରୀକ୍ଷା ହେବାକୁ ଥିବାବେଳେ ସେପ୍ଟେମ୍ବର ୧୩ ତାରିଖରେ ହେବ NEET ପରୀକ୍ଷା । ପ୍ରାୟ ୨୫ ଲକ୍ଷ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଅଂଶ ଗ୍ରହଣ କରିବେ । ତେବେ କରୋନା ସମୟରେ ଏହି ପରୀକ୍ଷାକୁ ନେଇ ବିବାଦ ସୃଷ୍ଟି ହୋଇଛି । ଅନ୍ୟପଟେ ପରୀକ୍ଷା ଘୁଞ୍ଚିବ ନାହିଁ ବୋଲି NTA ସ୍ପଷ୍ଟ କରିଛି ।

Leave a Reply