JEE ମେନ୍ ଓ NEET ନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିର ବଡ଼ ନିଷ୍ପତ୍ତି

1 min read

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ସ୍ଥଗିତ ରହିବନି ଜେଇଇ ମେନ୍ ଓ ନିଟ୍ । ପୂର୍ବ ନିର୍ଦ୍ଧାରିତ ସେପ୍ଟେମ୍ବର ୧ରୁ ୬ ତାରିଖ ମଧ୍ୟରେ ଜେଇଇ ମେନ୍ ପରୀକ୍ଷା ଅନୁଷ୍ଠିତ ହେବ । ସେହିପରି ୧୩ରେ ନିଟ୍ ପରୀକ୍ଷା ହେବ । ତେବେ କରୋନା କଟକଣା ଭିତରେ ପରୀକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ପରୀକ୍ଷା କେନ୍ଦ୍ର ଓ ପରୀକ୍ଷା ସିପ୍ଟିଂ ସଂଖ୍ୟା ବଢାଯିବ । ସେହିପରି ପ୍ରତି ସିଫ୍ଟିଂରେ ପରୀକ୍ଷାର୍ଥୀଙ୍କ ସଂଖ୍ୟା କମାଇବାକୁ ନିଷ୍ପତ୍ତି ନିଆଯାଇଛି ।

ସୁପ୍ରିମ କୋର୍ଟଙ୍କ ଆଦେଶ ଅନୁଯାୟୀ ପରୀକ୍ଷା ସ୍ଥଗିତ କରିବା ଯୁକ୍ତି ସଂଗତ ନଥିବାରୁ ପରୀକ୍ଷା କରାଯିବ ବୋଲି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ପ୍ରେସ ବିଜ୍ଞପ୍ତିରେ ଜଣାଇଛି । ଜେଇଇ ପାଇଁ ପୂର୍ବ ନିର୍ଦ୍ଧାରିତ ୫୭୦ ପରୀକ୍ଷା କେନ୍ଦ୍ରକୁ ବଢ଼ାଇ ୬୬୦ କରାଯାଇଛି । ସେହିପରି ନିଟ୍ ପାଇଁ ୨ ହଜାର ୫ ଶହ ୪୬ରୁ ୩ହଜାର ୮ ଶହ ୪୩ ପର୍ଯ୍ୟନ୍ତ ବଢାଯାଇଛି । ସାମାଜିକ ଦୂରତା ଅବଲମ୍ବନ କରି ପରୀକ୍ଷା ହେବ । ଏଥିପାଇଁ ଯାତାୟାତ ସୁବିଧା ନିଶ୍ଚିତ କରିବାକୁ ରାଜ୍ୟ ସରକାର ମାନଙ୍କୁ ଅନୁରୋଧ କରିଛନ୍ତି ଏନଟିଏ ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ସଂକ୍ରମଣ ଭିତରେ JEE, NEET, CLAT ଆଦି ପରୀକ୍ଷା ନକରି ଘୁଞ୍ଚାଇବା ପାଇଁ ଚିଠି ଲେଖିଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲଙ୍କୁ ଚିଠି ଲେଖି ମୁଖ୍ୟମନ୍ତ୍ରୀ ଏନେଇ ଅନୁରୋଧ କରିଛନ୍ତି । ରାଜ୍ୟରେ ବିଭିନ୍ନ ସ୍ଥାନରେ ସଂକ୍ରମଣ ଚେନ୍ ରୋକିବାକୁ ସଟଡାଉନ୍ ଓ ଲକଡାଉନ୍ ଲାଗୁ ରହିଛି । ଏଭଳି ସ୍ଥିତିରେ ଯାତାୟାତରେ ସମସ୍ୟା ଦେଖା ଦେବ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ।

Leave a Reply