ଏଣିକି ଓଡ଼ିଆରେ ହେବ ଜେଇଇ ପରୀକ୍ଷା; ଟ୍ୱିଟ୍ କରି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: ଏଥର ଛାତ୍ରଛାତ୍ରୀଙ୍କ ଲାଗି ଓଡିଆ ଭାଷାରେ ହେବ ଜେଇଇ ପରୀକ୍ଷା । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ତାଙ୍କ ଟ୍ୱିଟରେ ସେ ଉଲ୍ଲେଖ କରିଛନ୍ତି ଯେ, ଚଳିତ ବର୍ଷଠାରୁ ଜେଇଇ ପରୀକ୍ଷା ପ୍ରଶ୍ନପତ୍ର ବିଭିନ୍ନ ଭାରତୀୟ ଭାଷା ସମେତ ଓଡ଼ିଆ ଭାଷାରେ ମଧ୍ୟ ଉପଲବ୍ଧ ହେବ। ରାଜ୍ୟର ଛାତ୍ରଛାତ୍ରୀଙ୍କ ହିତକୁ ଅଗ୍ରାଧିକାର ଦେଇ ଜେଇଇ ପରୀକ୍ଷା ଓଡ଼ିଆ ଭାଷାରେ କରାଇବାକୁ ରାଜ୍ୟ ସରକାର କରିଥିବା ଅନୁରୋଧରେ ଡିଜି ଏନଟିଏ ସହମତି ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଗତ ଡିସେମ୍ବର ୧୬ ତାରିଖରେ ଜେଇଇ ପରୀକ୍ଷା ଅନୁଷ୍ଠିତ ହେବା ନେଇସୂଚନା ଦେଇଥିଲେ ।  ଆସନ୍ତା ୨୩ ତାରିଖରୁ ୨୬ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଜେଇଇ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହା ମୋଟ ୧୩ଟି ଭାଷାରେ ଅନୁଷ୍ଠିତ ହେବ । ଏହି ଭାଷା ଗୁଡ଼ିକ ମଧ୍ୟରେ ଇଂରାଜୀ, ହିନ୍ଦୀ, ଓଡ଼ିଆ ଆସାମୀ, ବଙ୍ଗାଳୀ, ଗୁଜୁରାଟି, କନ୍ନଡ, ମରାଠୀ, ମାଲାୟଲମ୍, ପଞ୍ଜାବୀ, ତାମିଲ, ତେଲୁଗୁ ଏବଂ ଊର୍ଦ୍ଧ୍ୱୁ ଭାଷା ରହିଛି ।

ଏହା ସହିତ ଫେବ୍ରୁଆରୀ ପରେ ମାର୍ଚ୍ଚ, ଏପ୍ରିଲ ଓ ମେ ମାସରେ ପର୍ଯ୍ୟାୟକ୍ରମେ ପରୀକ୍ଷା ହେବ ଓ ଛାତ୍ରଛାତ୍ରୀମାନେ ନିଜ ସୁବିଧା ଅନୁସାରେ ପରୀକ୍ଷାରେ ସାମିଲ ହୋଇ ପାରିବେ । ପ୍ରଶ୍ନପତ୍ରରେ ୯୦ ଟି ପ୍ରଶ୍ନ ରହିବ, ଯେଉଁଥିରେ  କେବଳ ୭୫ ଟି ପ୍ରଶ୍ନର ସମାଧାନ କରିବାକୁ ପଡ଼ିବ। ୧୫ଟି ବୈକଳ୍ପିକ ପ୍ରଶ୍ନ ରହିବ । ବିକଳ୍ପ ପ୍ରଶ୍ନଗୁଡ଼ିକରେ ନକାରାତ୍ମକ ମାର୍କିଂ ରହିବ ନାହିଁ । ସମସ୍ତ ଚାରିଟି ପର୍ଯ୍ୟାୟରେ ଅନୁଷ୍ଠିତ ପରୀକ୍ଷାରେ  ସର୍ବୋତ୍ତମ ସ୍କୋର ଆଧାରରେ ମେରିଟ୍ ତାଲିକା ପ୍ରସ୍ତୁତ କରାଯିବ ।

 

Leave a Reply