ଭିଜିଲାନ୍ସ ପଞ୍ଝାରେ ଲାଞ୍ଚୁଆ କନିଷ୍ଠ ଯନ୍ତ୍ରୀ, ଗୁହାଳ ଟଙ୍କା ବି ଛାଡ଼ୁ ନଥିଲେ

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ଆଉ ଜଣେ ଲାଞ୍ଚୁଆ କନିଷ୍ଠ ଯନ୍ତ୍ରୀ । ମୋ ଗୁହାଳ ବିଲ୍ କରାଇ ଦେବାକୁ ଜଣେ ହିତାଧିକାରୀଙ୍କ ଠାରୁ ଲାଞ୍ଚ ନେଉଥିବାବେଳେ ଦେଓଗାଁ ବ୍ଲକ କନିଷ୍ଠ ଯନ୍ତ୍ରୀ କୃଷ୍ଣପ୍ରିୟା ମଣ୍ଡଳଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ । ଦେଓଗାଁ ବ୍ଲକ ସିକୁଆ ଗାଁର ଲିଙ୍ଗରାଜ ସାହୁଙ୍କ ମୋ ଗୁହାଳ ବିଲ୍ କରାଇ ଦେବାକୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ କୃଷ୍ଣପ୍ରିୟା । ଅଭିଯୋଗ ପରେ ଭିଜିଲାନ୍ସ ଡ଼ିଏସପି ସଦାନନ୍ଦ ପାଣିଙ୍କ ନେତୃତ୍ବରେ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବାବେଳେ ବଲାଙ୍ଗୀର ଦଶମତିନଗର ଠାରେ ଥିବା ବାସଭବନରୁ କନିଷ୍ଠ ଯନ୍ତ୍ରୀଙ୍କୁ କାବୁ କରିଛି ଭିଜିଲାନ୍ସ ଟିମ୍ ।

ଲିଙ୍ଗରାଜ ବ୍ଲକରୁ ମୋ ଗୁହାଳ ଯୋଜନାରେ ତିନି ବର୍ଷ ପୂର୍ବରୁ ଗୁହାଳ ନିର୍ମାଣ କାମ ସାରିଛନ୍ତି । କିନ୍ତୁ ଲାଞ୍ଚ ନ ଦେଉଥିବାରୁ ତାଙ୍କୁ ଟଙ୍କା ଦିଆଯାଉ ନଥିଲା । ଗତ ବୁଧବାର ଦିନ ଲିଙ୍ଗରାଜ କନିଷ୍ଠ ଯନ୍ତ୍ରୀଙ୍କୁ ବ୍ଲକରେ ସାକ୍ଷାତ କରି ଗୁହାଳ ନିର୍ମାଣ ଟଙ୍କା ଦେବାକୁ ଅନୁରୋଧ କରିଥିଲେ । ହେଲେ କନିଷ୍ଠ ଯନ୍ତ୍ରୀ କୃଷ୍ଣପ୍ରିୟା ମଣ୍ଡଳ ୫ ହଜାର ଟଙ୍କା ଦେଲେ ଟଙ୍କା ରିଲିଜ ହେବ ବୋଲି କହିଥିଲେ । ଏନେଇ ଲିଙ୍ଗରାଜ ବଲାଙ୍ଗୀର ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ । ସେପଟେ କନିଷ୍ଠ ଯନ୍ତ୍ରୀ ଲାଞ୍ଚ ନେବା ଅଭିଯୋଗକୁ ଖଣ୍ଡନ କରିଥିବା ବେଳେ ତାଙ୍କୁ ଫସାଇ ଦିଆଯାଇଥିବା ସଫେଇ ଦେଇଛନ୍ତି ।

Leave a Reply