ବିଜୁବାବୁଙ୍କୁ ମରଣୋତ୍ତର ଭାରତରତ୍ନ ସମ୍ମାନ ଦାବି କଲା ଜେଡିୟୁ

ପାଟନା: ପୁଣି ଉଠିଲା ବିଜୁବାବୁଙ୍କୁ ଭାରତ ରତ୍ନ ଦାବି । ବିଜୁଙ୍କୁ ମରଣୋତ୍ତର ଭାରତରତ୍ନ ସମ୍ମାନ ଦାବି କଲା ଜେଡିୟୁ । ବିଜୁଙ୍କୁ ମରଣୋତ୍ତର ଭାରତ ରତ୍ନ ପ୍ରଦାନ ପାଇଁ ବିଭିନ୍ନ ସମୟରେ କେନ୍ଦ୍ର ସରକାରଙ୍କ ନିକଟକୁ ପ୍ରସ୍ତାବ ଯାଇଛି । ବିଜୁ ଜନତା ଦଳ ଏ ପ୍ରସଙ୍ଗରେ କେନ୍ଦ୍ର ନିକଟରେ ପୂର୍ବରୁ ଦାବି କରିଛି । ଏବେ ଜେଡିୟୁ ଉଠାଇଛି ବିଜୁଙ୍କୁ ଭାରତ ରତ୍ନ ପ୍ରସ୍ତାବ । ସ୍ବତନ୍ତ୍ର ଭାରତ ଗଠନରେ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କର ଅତୁଳନୀୟ ଅବଦାନ ରହିଛି । ମାତ୍ର କଂଗ୍ରେସ ଓ ବିଜେପି ସରକାର ବିଜୁବାବୁଙ୍କ ଭାରତ ରତ୍ନ ଦେବା ନେଇ ପ୍ରୟାସ କରିନାହାଁନ୍ତି ।

ବିଜୁ ବାବୁଙ୍କ ଅବଦାନକୁ ଚିର ସ୍ମରଣୀୟ କରି ରଖିବା ପାଇଁ ତାଙ୍କୁ ମରଣୋତ୍ତର ଭାରତରତ୍ନ ପ୍ରଦାନ କରାଯାଉ ବୋଲି ଦାବି କରିଛି ଜେଡିୟୁ । ସୋମବାର ଜେଡିୟୁ ନେତା କେ.ସି ତ୍ୟାଗୀ ସାମ୍ବାଦିକ ସମ୍ମିଳନୀରେ ବିଜୁଙ୍କ ପ୍ରତି କେନ୍ଦ୍ରର ବିଜେପି ଓ କଂଗ୍ରେସ ସରକାରଙ୍କ ଉପେକ୍ଷା ମନୋଭାବକୁ କଟୁ ସମାଲୋଚନା କରିଛନ୍ତି । ବିଜୁ ପଟ୍ଟନାୟକଙ୍କର କାର୍ଯ୍ୟଶୈଳୀ ଓ ରାଷ୍ଟ୍ରପ୍ରେମ ସ୍ୱତନ୍ତ୍ର ଓ ଅନନ୍ୟ ଥିଲା। ସ୍ୱାଧୀନତା ସଂଗ୍ରାମ ଓ ସ୍ୱାଧୀନତା ପରେ ଭାରତର ରାଜନୈତିକ ଚିତ୍ରପଟ୍ଟରେ ବିଜୁବାବୁଙ୍କ ଗୁରୁତ୍ୱକୁ ଯେକେହି ଅନୁଭବ କରିପାରିବେ।

ଉତ୍ତର ଭାରତର ନେତା ହୋଇଥିଲେ ସେ ଦେଶର ପ୍ରଧାନମନ୍ତ୍ରୀ ହୋଇପାରି ଥାଆନ୍ତେ । ତାଙ୍କୁ ଏପର୍ଯ୍ୟନ୍ତ ଭାରତରତ୍ନ ନ ମିଳିବା ବିଡ଼ମ୍ବନା । ବିଜୁ ବାବୁଙ୍କୁ ଭାରତ ରତ୍ନ ଦେବା ପାଇଁ ରାଜନୈତିକ ଦଳ ଗୁଡ଼ିକ ମିଳିତ ଉଦ୍ୟମ କରିବା ଦରକାର ବୋଲି କହିଛନ୍ତି କେ.ସି ତ୍ୟାଗୀ । ସେ କେବଳ ଓଡ଼ିଶାର ଗୌରବ ନୁହନ୍ତି, ଜାତୀୟସ୍ତରରେ ତାଙ୍କର ରାଜନୈତିକ ପ୍ରତିଷ୍ଠା ତତ୍କାଳୀନ ନେତାମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା । ଦେଶ ପ୍ରତି ତାଙ୍କ ନିଷ୍ଠାକୁ ସମ୍ମାନ ଜଣାଇ ଭାରତରତ୍ନ ପ୍ରଦାନ କରାଯିବା ଆବଶ୍ୟକ ବୋଲି ଜେଡିୟୁ ନେତା କେ.ସି ତ୍ୟାଗୀ କହିଛନ୍ତି।