ଜୟପୁର ଭେଣ୍ଡିଂ ଜୋନ୍ ପାଲଟିଛି ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ

ଜୟପୁର : ଆଦିବାସୀ ବ୍ୟବସାୟ କରି ରୋଜଗାରକ୍ଷମ ହେବେ । ଲୋକେ ବି ସୁବିଧାରେ ଜିନିଷ ପାଇବେ । ଅଞ୍ଚଳର ବିକାଶ ସହ ବେପାରବାଣିଜ୍ୟର ଉନ୍ନତ୍ତି ନେଇ ରହିଥିଲା ଆଶା । ହେଲେ ନିର୍ମାଣକୁ  ୧୦ ବର୍ଷ ପୂରିବାକୁ ବସିଥିଲେ ବି କାର୍ଯ୍ୟକ୍ଷମ ହୋଇ ପାରୁନି ଭେଣ୍ଡିଂ ଜୋନ୍ । ଫଳରେ ଏହା ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳି ପାଲଟିଛି । ଜୟପୁର ସହରରେ ୨୦୧୪  ମସିହାରେ ତତ୍କାଳୀନ ମନ୍ତ୍ରୀ ରବି ନାରାୟଣ  ନନ୍ଦ ପ୍ରାୟ ୬୦ ଟି ଷ୍ଟଲକୁ ନେଇ ଶୁଭାରମ୍ବ କରିଥିଲେ ବିଜୁ ଭେଣ୍ଡିଂ ଜୋନ । ଏବେ ଷ୍ଟଲ ଗୁଡିକ ଭାଙ୍ଗିରୁଜି ଗଲାଣି ।  ସଂଧ୍ଯା ହେଲେ ଗଞ୍ଜେଇ ମଦ କାରବାର ଚାଲିଛି । ଭେଣ୍ଡିଂ ଜୋନର 60 ଟି ଷ୍ଟଲ ମଧ୍ଯରୁ 56 ଟି ଟେଣ୍ଡର ମାଧ୍ୟମରେ ନେଇଥିଲେ କ୍ଷୁଦ୍ର ବ୍ୟବସାୟୀ । କିନ୍ତୁ ପୌରପାଳିକା ସେଠାରେ ଆନୁସଙ୍ଗିକ ବ୍ୟବସ୍ଥା କରିପାରନଥିବାରୁ ସେଠାରେ ବ୍ୟବସାୟ କରିବା ସମ୍ଭବପର ନୁହେଁ । ସେଥିମଧ୍ଯରୁ ୪୦ଟି ଷ୍ଟଲର ମାଲିକ ମାନେ ଷ୍ଟଲ୍ ଫେରାଇ ଦେଇଥିଲେ । ଏବେ ମାତ୍ର 16 ଜଣ ସେଠାରେ ଷ୍ଟଲ୍ ଭଡା ପୌରପାଳିକାରୁ ପୈଠ କରୁଥିଲେ ମଧ୍ଯ ସେମାନଙ୍କ ପାଇଁ କୌଣସି ବ୍ୟବସ୍ଥା କରୁନାହିଁ । ଏନେଇ ବ୍ୟବସାୟୀ ଓ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି ।   ବିଜୁ ଭେଣ୍ଡିଂ ଜୋନ କୁ ପୁନଃନିର୍ମାଣ କରି ଆଦିବସୀ ବଜାର କରିବାକୁ ସାଧାରଣରେ ଦାବି ହୋଇଛି ।

ଭେଣ୍ଡିଂଜୋନ୍ ଜଗନ୍ନାଥ ସାଗର କୂଳରେ ରହିଛି ।  ଏହାର ମୂଳ ଜମିର ମାଲିକାନା ମତ୍ସ ବିଭାଗ ଅଧିନରେ ରହିଛି । ମତ୍ସ ବିଭାଗ ପୌରପାଳିକାକୁ ହସ୍ତାନ୍ତର କରିବାକୁ ଉଦ୍ୟମ ଜାରି ରଖିଛି  । ଏହା ହେଲା ପରେ ବିଜୁ ଭେଣ୍ଡିଂ ଜୋନକୁ ପୁନଃ ମରାମତି କରି କାର୍ଯ୍ୟକ୍ଷମ କରାଯିବ ବୋଲି କହିଛନ୍ତି ପୌରପାଳିକା ଅଧ୍ୟକ୍ଷ । ଏହାସହ ବିଜୁ ଭେଣ୍ଡିଂ ଜୋନ ରେ ଅସମାଜିକ କାର୍ଯ୍ୟକଳାପ କୁ ଦୃଷ୍ଟି ଦେବାକୁ ପୋଲିସକୁ ଅନୁରୋଧ କରାଯିବ ବୋଲି କହିଛନ୍ତି । ବିଜୁ ଭେଣ୍ଡିଂ ଜୋନ ୬୦ଟି ଷ୍ଟଲ୍ ଖାଲି ପଡିଥିବା ବେଳେ ଏହାକୁ ପୁଣି କାର୍ଯ୍ୟକ୍ଷମ କରିବାକୁ ସବୁ ସ୍ତରେ ଦାବି ହୋଇଛି ।