ଜୟପୁର ଆକାଶବାଣୀ କେନ୍ଦ୍ରର ସ୍ଥାନାନ୍ତର ନିଷ୍ପତ୍ତିକୁ ଦୃଢ଼ ବିରୋଧ

ଜୟପୁର: ଆକାଶବାଣୀ ଜୟପୁରର ସ୍ଥାନାନ୍ତର ନିଷ୍ପତ୍ତିକୁ ଦୃଢ଼ ବିରୋଧ । କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଦୃଢ଼ ବିରୋଧ କରିଛନ୍ତି ଜୟପୁର ବାସିନ୍ଦା । ଭବାନୀପାଟଣା ଆକାଶବାଣୀ କେନ୍ଦ୍ର  ଅଧୀନରେ ଜୟପୁର ଆକାଶବାଣୀ କେନ୍ଦ୍ରକୁ ରଖାଯିବ ନେଇ ନିଷ୍ପତ୍ତି ନେଇଛି ପ୍ରସାର ଭାରତୀ ।ସ୍ଥାନୀୟ ଲୋକେ ଏଭଳି ନିଷ୍ପତ୍ତିକୁ ନାପସନ୍ଦ କରିବା ସହ ଆଞ୍ଚଳିକ ଭାଷା ଓ କାଳସଂସ୍କୃତିର ସୁରକ୍ଷା ପାଇଁ ନିଷ୍ପତିର ପୁନର୍ବିଚାର ହେବା ଆବଶ୍ୟକ ବୋଲି କହିଛନ୍ତି ଲୋକେ ।

୧୯୬୪ ମସିହାରେ ପ୍ରତିଷ୍ଠତ ହୋଇଥିଲା ଜୟପୁର ଆକାଶବାଣୀ କେନ୍ଦ୍ର । କେନ୍ଦ୍ର ସରକାରଙ୍କ ନିଷ୍ପତି ଅନୁସାରେ ଭବାନୀପାଟଣା କ୍ଲଷ୍ଟର ଅଧିନରେ ରହିଲେ ସ୍ୱାଧୀନ ଦାୟିତ୍ୱରେ ରହିବ ନାହିଁ ଜୟପୁର ଆକାଶ ବାଣୀ କେନ୍ଦ୍ର । ପ୍ରସାର ଭାରତିର ନୂଆ ନିଷ୍ପତ୍ତି ଅନୁସାରେ ଭବାନୀପାଟଣା କେନ୍ଦ୍ରକୁ କ୍ଳଷ୍ଟର ମାନ୍ୟତା ଦିଆଯିବ ଏବଂ ଜୟପୁର ଏହାର ଅଧୀନରର ରହିବ । ଏଭଳି ହେଲେ ଅବିଭକ୍ତ କୋରାପୁଟ ଜିଲ୍ଲାର ଆଞ୍ଚଳିକ ଭାଷା ଓ କଳା ସଂସ୍କୃତିର ଗୁରୁତ୍ୱ କମିବ । ବିଭିନ୍ନ ଜନ ସଚେତନତା ମୂଳକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଲାଗି ଜାତୀୟ ସ୍ତରରେ ବହୁବାର ପୁରସ୍କୃତ ହୋଇଥିବା ଆକାଶବାଣୀ କେନ୍ଦ୍ରର କଳାକାର ବୃତ୍ତି ହରାଇବେ । ଏଥିସହିତ ଆଞ୍ଚଳିକ ଭାଷାରେ କାର୍ଯ୍ୟକ୍ରମ କମିବା ଫଳରେ ଦୁର୍ଗମ ଅଞ୍ଚଳରେ ଲୋକେ ରେଡିଓରୁ ମୁହଁ ଫେରାଇବେ । ଏଥିପାଇଁ ଆଜି କୋରାପୁଟ ଜିଲ୍ଲା କଳାକର ସଂଘ ଓ ଅଭିଭକ୍ତ କୋରାପୁଟ ଦେଶିଆ ନାଟ ସଂଘ ପକ୍ଷରୁ ତୀବ୍ର ପ୍ରତିବାଦ କରାଯାଇଛି  । ଆଗାମୀ ଦିନରେ କେନ୍ଦ୍ର ସରକାର ଏହାର ପୁନର୍ବିଚାର ନ କଲେ ଦୁର୍ବାର ଆନ୍ଦୋଳନ କରାଯିବ ବୋଲି କହିଛନ୍ତି କଳାକାର ସଂଘ  ।

ରାଜ୍ୟର ପ୍ରଥମ ଆକାଶବାଣୀ କେନ୍ଦ୍ର ୧୯୪୮ ମସିହାରେ କଟକ ଠାରେ ପ୍ରତିଷ୍ଠା ହୋଇଥିଲା ୧୯୬୩ ମସିହାରେ ସମ୍ବଲପୁର ଓ ୧୯୬୪ ମସିହାରେ ଜୟପୁର ଆକାଶବାଣୀ କେନ୍ଦ୍ର ପ୍ରତିଷ୍ଠା ହୋଇଥିଲା । ଜୟପୁରରେ କେନ୍ଦ୍ର ଖୋଲିବାର ବହୁ ବର୍ଷ ପରେ ଡେପୁଟୀ ଡାଇରେକ୍ଟର ଜେନରାଲ୍‌ ( ଡିଡିଜି ) ପଦବି ସୃଷ୍ଟି ହୋଇଥିଲା । ଏହି ପଦବିରେ ଜଣେ ଅଧିକାରୀ ରହି କେନ୍ଦ୍ର ପରିଚାଳନା କରୁଥିଲେ । କିନ୍ତୁ ଉକ୍ତ ଅଧିକାରୀଙ୍କ ବଦଳି ପରେ ଆଉ କାହାକୁ ଦାୟିତ୍ୱ ଦିଆଯାଇ ନଥିଲା । ସୂଚନା ଅନୁସାରେ ପ୍ରସାର ଭାରତୀ ପକ୍ଷରୁ ଓଡ଼ିଶାରେ ୩ଟି କ୍ଲଷ୍ଟର କଟକ , ଭୁବନେଶ୍ୱର ଓ ଭବାନୀପାଟଣା ଠାରେ ଖୋଲାଯିବ । ଭବାନୀପାଟଣା କ୍ଲଷ୍ଟର ଅଧୀନରେ ଜୟପୁର ସମେତ ୪ଟି କେନ୍ଦ୍ର ରହିବ ।  ଏହାକୁ ବିରୋଧ କରି କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକା ସଂସଦରେ ପ୍ରଶ୍ନ ଉଠାଇଥିଲେ  । କିନ୍ତୁ କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂ ଠାକୁର କୌଣସି ପରିବର୍ତ୍ତନ କରାଯାଇପାରିବ ନାହିଁ ବୋଲି ସଂସଦରେ କହିବାରୁ ଏବେ ସ୍ଥାନୀୟ ବୁଦ୍ଧଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି  । ସେଥିପାଇଂ ଆଜି ଦଳଗତ ନିର୍ବିଶେଷରେ ରାଜରାସ୍ତକୁ ଓଲ୍ଲାଇଛନ୍ତି ବିଭିନ୍ନ ସଂଗଠନ  ।

Leave a Reply