‘ଅପରାଜିତାଙ୍କୁ କିଏ ମନା କରିଥିଲା ସଙ୍ଗଠନ ସଜାଡ଼ିବା ପାଇଁ ? ’

ଭୁବନେଶ୍ୱର: ଦଳ ଭିତରେ ଅପରାଜିତା ଅଡୁଆ । ଭୁବନେଶ୍ୱର ସାଂସଦଙ୍କ ବକ୍ତବ୍ୟ ବିଜେପିର କଳି ସୃଷ୍ଟି କରିଛି । ଦଳର ରାଜ୍ୟ ନେତୃତ୍ୱ ଦୁର୍ବଳ ବୋଲି କହି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରଶ୍ନ ଉଠାଇବା ପରେ ରାଜ୍ୟ ବିଜେପିରେ ଘମାସନ ସୃଷ୍ଟି ହୋଇଛି  । ସେପଟେ ଅପରାଜିତାଙ୍କୁ ତେରଛା ବାଣ ମାରିଛନ୍ତି ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ଜୟନାରାୟଣ ପ୍ରଶ୍ନ କରିଛନ୍ତି, ଅପରାଜିତାଙ୍କୁ କିଏ ମନା କରିଥିଲା ସଙ୍ଗଠନ ସଜାଡ଼ିବା ପାଇଁ ? ବିଜେପିର କୋର କମିଟିରେ ଅପରାଜିତା ଅଛନ୍ତି ।

ଯଦି ଦଳ ଅସଜଡା ଅଛି ତାଙ୍କର ଦାୟିତ୍ୱ ରହିଛି । ଏକକ ନେତୃତ୍ୱରେ ନୁହେଁ, ଆମେ ମିଳିତ ନେତୃତ୍ୱକୁ ବିଶ୍ୱାସ କରୁ । ଦିଲ୍ଲୀରେ ଆମେ କିଛି କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଛୁ। ଆଗକୁ କ’ଣ ହେବ ଅପେକ୍ଷା କର ବୋଲି ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି । ସେପଟେ ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ କହିଛନ୍ତି, ଯିଏ ହାରିଛି ସେ ଦୁର୍ବଳ ସଙ୍ଗଠନ କଥା କହିବ । ଯିଏ ଜିତିଛି ସେ ସଙ୍ଗଠନ ବାବଦରେ ଭଲ କଥା କହିବ । ଅପରାଜିତା ଯାହା କହିଛନ୍ତି, ସେ ତାଙ୍କ ବ୍ୟକ୍ତିଗତ କଥା  ।

ଅନ୍ୟପଟେ ଅପରାଜିତାଙ୍କ ଏଭଳି ମନ୍ତବ୍ୟକୁ ନେଇ ପୂର୍ବରୁ ଦଳର ବରିଷ୍ଠ ନେତା ଖାରବେଳ ସ୍ୱାଇଁ ମଧ୍ୟ ବିରଦୋ କରିଥିଲେ  । ଅପରାଜିତାଙ୍କ ଇଙ୍ଗିତକୁ ବିରୋଧ କରିଥିଲେ  । ସେ କହିଥିଲେ ଅପରାଜିତା କୌଣସି ନେତୃତ୍ୱଙ୍କୁ ନିର୍ବାଚନରେ ପଚାରି ନାହାଁନ୍ତି  । ଏବେ ନିର୍ବାଚନରେ ମେୟର ହାରିଯିବା ପରେ ସମଗ୍ର ରାଜ୍ୟ ନେତୃତ୍ୱକୁ ବିରୋଧ କରୁଛନ୍ତି ବୋଲି କହିଥିଲେ ଖାରବେଳ ସ୍ୱାଇଁ  ।   ଅନ୍ୟପଟେ ଯଦି ଦେଖିବା ତେବେ ବିଜେପିର ବିଫଳତା ପରେ ରାଜ୍ୟ ନେତୃମଣ୍ଡଳୀ ଦିଲ୍ଲୀରେ ରାଷ୍ଟ୍ରୀୟ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସାକ୍ଷାତ କରିଥିଲେ  । ଏହି ସାକ୍ଷାତରେ ବିଜେପିର ଗୋଷ୍ଠୀ କନ୍ଦଳ ନେଇ ମଧ୍ୟ ଆଲୋଚନା ହୋଇଥିବା ଅନୁମାନ କରାଯାଉଛି  ।