‘ଜୟେଶଭାଇ ଜୋରଦାର’ର ଟ୍ରେଲର ରିଲିଜ୍‌

ନୂଆଦିଲ୍ଲୀ: ପୁଣିଥରେ ରୂପେଲି ପରଦାରେ ଜଲଓ୍ୱା ଦେଖାଇବାକୁ ପ୍ରସ୍ତୁତ ହୋଇ ସାରିଲେଣି ବଲିଉଡ ତାରକା ରଣବୀର ସିଂ । ୨୦୧୩ ମସିହାରେ ରିଲିଜ ହୋଇଥିବା ‘ଗୋଲିୟୋଁ କି ରାସଲୀଲା ରାମଲୀଲା’ ପରେ ଏହି ଫିଲ୍ମରେ ରଣବୀରଙ୍କୁ ପୁନର୍ବାର ଏକ ଗୁଜୁରାଟୀ ଚରତ୍ରରେ ଦେଖିବାର ସୁଯୋଗ ପାଇବେ ଦର୍ଶକ । ଚଳିତ ଥର ତାଙ୍କୁ କୌଣସି ରାଣୀଙ୍କୁ ପାଇବା ପାଇଁ ସଂଘର୍ଷ କରିବାକୁ ପଡ଼ିବ ନାହିଁ କିମ୍ବା ଶତ୍ରୁ ସହିତ ଲଢ଼ିବାକୁ ଗୋଳାବାରୁଦର ଆବଶ୍ୟକତା ପଡ଼ିବ ନାହିଁ । ଏଥର ସେ ନଜର ଆସିବେ ଏକ ଭିନ୍ନ ଅନ୍ଦାଜ ଏବଂ ଭିନ୍ନ ଚରିତ୍ରରେ ଫିଲ୍ମ ’ଜୟେଶଭାଇ ଜୋରଦାର’ ମାଧ୍ୟମରେ । ଫିଲ୍ମରେ ଜନ୍ମ ହୋଇନଥିବା ଏକ କନ୍ୟା ସନ୍ତାନ ପାଇଁ ଲଢ଼ୁଥିବାର ରଣବୀରଙ୍କୁ ଦେଖିବାକୁ ମିଳିବ । ତେବେ ମଙ୍ଗଳବାର ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଟ୍ରେଲରେ ସାମାଜିକ କମେଡି ମଧ୍ୟ ଦେଖିବାକୁ ମିଳିଛି ।

ଫିଲ୍ମରେ ରଣବୀର ସିଂଙ୍କ ବ୍ୟତୀତ ବମନ୍‌ ଇରାନୀ ଏବଂ ରତ୍ନା ପାଠକଙ୍କୁ ଦେଖିବାକୁ ମିଳିଛି । ଉଭୟଙ୍କୁ ରଣବୀରଙ୍କ ବାପା ଓ ମା’ ଚରିତ୍ରରେ ଦେଖିବାକୁ ମିଳିବ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏବେ ମଧ୍ୟ କିଛି ଲୋକ ପୁରୁଷ ପ୍ରାଧାନ୍ୟ ସମାଜକୁ ଗୁରୁତ୍ୱ ଦିଅନ୍ତି । କନ୍ୟା ସନ୍ତାନ ଯେପରି ଏକ ଅଭିଶାପ । ସେହିଭଳି କାହାଣୀ ଉପରେ ଆଧାରିତ ଏହି ଫିଲ୍ମ ।

ସୂଚନାଯୋଗ୍ୟ ଫିଲ୍ମର ଟ୍ରେଲର ରିଲିଜ୍‌ ହେବା ପରଠାରୁ ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରୁଛନ୍ତି । କେବଳ ଫିଲ୍ମରେ ରଣବୀରଙ୍କୁ ଗୁଜୁରାଟୀ ଚରିତ୍ରରେ ଦେଖିବାକୁ ମିଳିବ ତାହା ନୁହେଁ ବରଂ ବାସ୍ତବ ଜରବନରେ ମଧ୍ୟ ଫିଲ୍ମ ରାମଲୀଲା ପରେ ଗୁଜୁରାଟର ପସନ୍ଦର ଅଭିନେତା ହୋଇ ଯାଇଛନ୍ତି ଦର୍ଶକ । ଗୁଜୁରାଟରେ ରଣବୀରଙ୍କ କ୍ରେଜ୍‌ କିଛଇ କମ୍‌ ନୁହେଁ ।