ଶହେ ଫୁଟିଆ ରାସ୍ତା ପାଇଁ ଫିଟିଲା ବାଟ, ମାଟିରେ ମିଶିଲା ଗାଡ଼କଣ ସାଇନାଥ ବସ୍ତିର ୧୫୦ ପରିବାରର ଘର

ଭୁବନେଶ୍ୱର: ମାଟିରେ ମିଶିଲା ଗାଡ଼କଣ ସାଇନାଥ ବସ୍ତିର ୧୫୦ ବଖରା ଘର । କ୍ଷତିଗ୍ରସ୍ତ ପରିବାରଙ୍କୁ ଟ୍ରାଞ୍ଜିଟ ହାଉସରେ ଥଇଥାନ ବ୍ୟବସ୍ଥା । ଡାହାଣ ପାର୍ଶ୍ବ ୧୦୦ ଫୁଟିଆ ରାସ୍ତା ନିର୍ମାଣ ପାଇଁ ଫିଟିଲା ବାଟ । ଦୂର ହେବ ଜୟଦେବ ବିହାର ଓ ନନ୍ଦନକାନନ ରାସ୍ତାର ଟ୍ରାଫିକ ସମସ୍ୟା । ହାଇକୋର୍ଟଙ୍କ ରାୟ ପରେ ଆକ୍ସନ ମୋଡ଼ରେ ବିଡିଏ । ଗାଡ଼କଣ ସ୍ଥିତ ସାଇନାଥ ବସ୍ତିରେ ବୁଲିଲା ବୁଲ ଡୋଜର । ଦୁଇ ଦିନରେ ମାଟିରେ ମିଶିଲା ବସ୍ତିର ୫୦ଟି ପରିବାରର ୧୩୬ ବଖରା ଘର । କୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରରେ କ୍ଷତିଗ୍ରସ୍ତ ସମସ୍ତ ପରିବାରଙ୍କୁ ନୀଳାଦ୍ରିବିହାର ସ୍ଥିତ ଟ୍ରାଞ୍ଜିଟ ହାଉସରେ କରାଯାଉଛି ଥଇଥାନ । ଉଛେଦକୁ ବସ୍ତିବାସିନ୍ଦାଙ୍କ ପକ୍ଷରୁ ବିରୋଧ କରାଯାଇଥିଲେ ସୁଦ୍ଧା ପୋଲିସ ମୁତୟନ କରି ସମ୍ପନ୍ନ ହୋଇଛି ଉଛେଦ । ସେପଟେ ଜୟଦେବବିହାରଠାରୁ ନନ୍ଦନକାନନ ରାସ୍ତାର ଟ୍ରାଫିକ ସମସ୍ୟାର ସମାଧାନ ନିମନ୍ତେ ପ୍ରସ୍ତାବିତ ଡାହାଣ ପାର୍ଶ୍ଵ ୧୦୦ ଫୁଟିଆ ସମାନ୍ତରାଳ ରାସ୍ତା ପାଇଁ ଫିଟିଛି ବାଟ । ଦୀର୍ଘ ୨ ବର୍ଷ ପରେ ତ୍ୱରାନ୍ୱିତ ହୋଇଛି ଡମଣା ଛକ ଠାରୁ ଗୁରୁ କେଳୁଚରଣ ପାର୍କ ଓ ଗାଡ଼କଣ ଦେଇ ସୈନିକ ସ୍କୁଲ ପର୍ଯ୍ୟନ୍ତ ଅଧାରେ ଅଟକିଥିବା ୬ ଥାକିଆ ରାସ୍ତା ନିର୍ମାଣ କାର୍ଯ୍ୟ ।

୧୫ ବର୍ଷରୁ ଅଧିକ କାଳ ହେବ ପାଖାପାଖି ୨ ଶହରୁ ଅଧିକ ପରିବାର ସରକାରୀ ଜମିକୁ ଜବରଦଖଲ କରି ଗାଡ଼କଣ ସ୍ଥିତ ସାଇନାଥ ବସ୍ତିରେ ବସବାସ କରୁଥିଲେ । ତେବେ ୧୦୦ ଫୁଟିଆ ରାସ୍ତା ନିର୍ମାଣରେ ବସ୍ତିର ୫୦ଟି ପରିବାରର ୧୩୬ ବଖରା ବାଧକ ସାଜିଥିଲା । ବହୁ ବାଦବିବାଦ ପରେ ଉଛେଦ ହୋଇଛି । କ୍ଷତିଗ୍ରସ୍ତଙ୍କୁ ଯଦିଓ ଟ୍ରାଞ୍ଜିଟ କ୍ୟାମ୍ପରେ ସବୁ ସୁବିଧା ସହ ଥଇଥାନ କରାଯାଇଛି, ତଥାପି କ୍ୟାମ୍ପରେ ରହିବା ମୁସ୍କିଲ ଥିବା ଦର୍ଶାଇ ଅଧିକାଂଶ ପରିବାର ଅନ୍ୟତ୍ର ଚାଲି ଯାଇଛନ୍ତି । ଜୟଦେବବିହାର ଠାରୁ ନନ୍ଦନକାନନ ରାସ୍ତାରେ ଟ୍ରାଫିକ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ରାସ୍ତାର ଉଭୟ ପାର୍ଶ୍ବରେ ଅର୍ଥାତ ବାମ ପାର୍ଶ୍ଵରେ ୨ ଶହ ଓ ଡାହାଣ ପାର୍ଶ୍ବରେ ଶହେ ଫୁଟିଆ ୬ ଥାକିଆ ପ୍ରଶସ୍ଥ ରାସ୍ତାର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି।