ଭିଜିଲାନ୍ସ ଜାଲରେ ଡାକ୍ତର ଓ ଫାର୍ମାସିଷ୍ଟ : ବକେୟା ଟଙ୍କା ରିଲିଜ କରିବାକୁ ମାଗୁଥିଲେ ଲାଞ୍ଚ

ଜୟପୁର : ଭିଜିଲାନ୍ସ ଜାଲରେ ଡାକ୍ତର ଓ ଫାର୍ମାସିଷ୍ଟ। କୋରାପୁଟ ଜିଲ୍ଲା ବୈପାରିଗୁଡ଼ା  ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡ଼ାକ୍ତର ଓ ଫାର୍ମାସିଷ୍ଟ ଡଣେ ଠିକାଭିତ୍ତିକ ନର୍ମିଂ ଅଫିସରଙ୍କ ଠାରୁ ତାଙ୍କ ବକେୟା ଟଙ୍କା ରିଲିଜ କରିବାକୁ ୧୦ ପ୍ରତିଶତ ଲାଞ୍ଚ ମାଗୁଥିଲେ । ଏପିରିକି ଲାଞ୍ଚ ନଦେଲେ ନର୍ସିଂ ଅଫିସରଙ୍କୁ ଉପାନ୍ତ ଅଞ୍ଚଳକୁ ବଦଳି କରିଦେବାକୁ ଧମକ ଦେଉଥିଲେ । ଆଜି ଫାର୍ମାସିଷ୍ଟଙ୍କ ଜରିଆରେ ଲାଞ୍ଚ ନେବା ବେଳେ ବୈପାରିଗୁଡା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ମେଡିକାଲ ଅଫିସର ବିଶ୍ବଜିତ ଭୂୟାଁ ଓ ଫାର୍ମାସିଷ୍ଟ ଉତ୍ତମ ମହାଙ୍କୁଡଙ୍କୁ ଗିରଫ କରିଛି ଭିଜିଲାନ୍ସ । ଅଭିଯୋଗକାରୀ ବୈପାରିଗୁଡା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଠିକାଭିତ୍ତିକ ନର୍ସିଂ ଅଫିସର ଭାବରେ କାର୍ଯ୍ୟ କରୁଥିଲେ। ଗତ ଜୁଲାଇ ମାସରେ ସରକାର ତାଙ୍କ ଚାକିରି ନିୟମିତ କରିବା ସହ ତାଙ୍କ ବକେୟା ଦରମା ରିଲିଜ କରିସାରିଛନ୍ତି । ୨୦୨୨ ଅକ୍ଟୋବର ମାମରୁ ବକେୟା ବାବଦରେ ୪ ଲକ୍ଷ ୮୩ ହଜାର ୫୭୨ ଟଙ୍କା ସରକାର ରିଲିଜ କରିଛନ୍ତି । ଏହି ଟଙ୍କା କିନ୍ତୁ ପ୍ରଦାନ କରିବାକୁ ମେଡିକାଲ ଅଫିସର ଡାକ୍ତର ଭୂୟାଁ ୧୦ ପ୍ରତିଶତ ଅର୍ଥାତ ୪୦ ହଜାର ଟଙ୍କା ମାଗୁଥିଲେ । ବାରମ୍ବାର ଅନୁରୋଧ କରି ହତାସ ହେବା ପରେ ଅଭିଯୋଗକାରୀ ଭିଜିଲାନ୍ସରେ ଅଭିଯୋଗ କରିଥିଲେ ।