ପ୍ରେରଣାର ଅନ୍ୟନାମ ଜୟନ୍ତୀ

ବାଲେଶ୍ବର: ସାମାଜିକ ଗଣମାଧ୍ୟମ ଓ ଟେଲିଭିଜନରେ ଆପଣ ଅନେକ ରୋଷେଇ କରୁଥିବା ଲୋକଙ୍କୁ ଦେଖିଛନ୍ତି । ହେଲେ ଆଜି ଆମେ ଆପଣଙ୍କୁ ଏକ ନିଆରା ମଣିଷଙ୍କୁ ଭେଟାଇବୁ ଯିଏ ଗତ ୪ ବର୍ଷ ଧରି କର୍କଟ ରୋଗ ସହିତ ଲଢେଇ କରୁଛନ୍ତି । ତଥାପି ମାନସିକ ସ୍ତରରେ ଦୁର୍ବଳ ନହୋଇ ରୋଷେଇ ଘରେ ସମୟ କାଟୁଛନ୍ତି । ଆଉ ଅନ୍‌ଲାଇନ୍‌, ଅଫ୍‌ଲାଇନ୍‌ରେ ଲୋକଙ୍କୁ ଖାଇବା ଯୋଗାଇ ହୋଇଛନ୍ତି ସ୍ବାବଲମ୍ବୀ । ସେ ହେଉଛନ୍ତି ବାଲେଶ୍ବରର ଜୟନ୍ତୀ ପତି ।

ସକାଳ ହେଲେ ଫୋନ୍‌ ବାଜୁଛି । ଅନ୍‌ଲାଇନ୍‌, ଅଫ୍‌ଲାଇନ୍‌ରେ ଆସୁଛି ଅର୍ଡ଼ର । କିଏ ପିଜା ପାଇଁ ଅର୍ଡ଼ର କରୁଛନ୍ତି ତ  କିଏ ରୁଟି, ତରକାରୀ । ପନିର ମସଲା, ପିଠା, ପଣା ପାଇଁ ଆସୁଛି ବରାଦ୍‌ । ଠିକ୍‌ ସମୟରେ ଲୋକଙ୍କୁ ବରାଦ୍‌ ଅନୁସାରେ ଖାଇବା ଯୋଗାଇ ଦେଉଛନ୍ତି । ଆଉ ସେଥିପାଇଁ ତାଙ୍କୁ ଟଙ୍କା ତ ମିଳୁଛି । ହେଲେ ଏହି ଅର୍ଡ଼ର ତାଠୁ ଅଧିକ ସହଯୋଗ କରୁଛି ତା ସହ ନିଜ ଜୀବନକୁ ଉପଭୋଗ କରିବାର ଖୋରାକ ଯୋଗାଇଛି । ଏହି କର୍ମମୟ ଜୀବନ ଭିତରେ ସେ ଭୁଲିଯାଇଛନ୍ତି ନିଜର ଦୁରାରୋଗ୍ୟ ବ୍ୟାଧିକୁ । କର୍କଟ ରୋଗରେ ଆକ୍ରାନ୍ତ ହୋଇ ବି ଜୀବନରେ ହାରିବା ଶିଖି ନାହାନ୍ତି ବାଲେଶ୍ବରର ଜୟନ୍ତି ପତି । ତାଙ୍କୁ ଏହି କାମରେ ସହଯୋଗ କରନ୍ତି ତାଙ୍କ ସ୍ବାମୀ ।

ଗତ ୪ ବର୍ଷ ଧରି କର୍କଟ ରୋଗରେ ପିଡ଼ିତ ଜୟନ୍ତି । ନିୟମିତ ବ୍ୟବଧାନରେ କେମୋ ନେଉଛନ୍ତି । ଚିକିତ୍ସାରେ ରହି ଔଷଧ ବି ଖାଉଛନ୍ତି । ହେଲେ ତାଙ୍କ ହାବଭାବରୁ ତାହା ବାରିବା କଷ୍ଟ । ନିଜେ ଖୁସି ରହିବା ସହିତ ପରିବାର ଲୋକଙ୍କୁ ମଧ୍ୟ ଖୁସିରେ ରହିବାକୁ ସବୁବେଳେ ଉଦ୍ୟମ କରୁଛନ୍ତି । ପଚରାରିଲେ କୁହନ୍ତି,ଦିନେ ସମସ୍ତେ ଯିବେ, ମୁଁ ବି ଯିବି । ତେବେ ଯେତିକି ସମୟ ବଞ୍ଚିଛି, ଖୁସିରେ ବଞ୍ଚିବିନି କାହିଁକି । ଜୟନ୍ତୀଙ୍କର ଏହି ଚିନ୍ତାଧାରା କର୍କଟ ରୋଗୀଙ୍କ ପାଇଁ ନିଶ୍ଚିତ ପ୍ରେରଣା ଦାୟକ ହେବ ବୋଲି କହନ୍ତି ମନସ୍ତତ୍ତ୍ବବିତ୍ ।