ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ହଟ୍ଟହଟ୍ଟା, ଗିରଫ ଭୟରେ ସର୍କିଟ ହାଉସରେ ଲୁଚିଲେ ଜୟନାରାୟଣ

ସମ୍ବଲପୁର: ସମ୍ବଲପୁର ବିଜେପି ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ହଟ୍ଟହଟ୍ଟା। ଗିରଫଦାରୀ ଭୟରେ ସ୍ଥାନୀୟ ସର୍କିଟ ହାଉସରେ ଲୁଚିଥିବା ବେଳେ, ମହିଳା ବିଜେଡି କର୍ମୀ ସର୍କିଟ ହାଉସକୁ ଘେରାଉ କରି, ଜୟନାରାୟଣ ମିଶ୍ର ମୁର୍ଦ୍ଦାବାଦ, ବିଜେପିର ଗୁଣ୍ଡାଗିରି ଚଳିବ ନାହିଁ ଭଳି ନାରା ଦେଇଥିଲେ। ଫଳରେ ସର୍କିଟ ହାଉସର ପଛପଟ ଗେଟ ଦେଇ ଜୟନାରାୟଣ ପଳେଇ ଯାଇଥିଲେ । ଗତକାଲି ଧନୁପାଲି ଥାନା ଆଇଆଇସି ଅନିତା ପ୍ରଧାନଙ୍କୁ ସର୍ବସାଧାରଣରେ ଜୟନାରାୟଣ ଆକ୍ରମଣ କରିବା ସହ ଗାଳିଗୁଲଜ କରିଥିଲେ। ଏହାପରେ ସମ୍ବଲପୁରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଗତକାଲି ଆଇଆଇସି ଅନିତା ପ୍ରଧାନ ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ, ପୋଲିସ ବିଭିନ୍ନ ସଙ୍ଗୀନ ଦଫାରେ ଜୟନାରାୟଣଙ୍କ ବିରୋଧରେ ମାମଲା ରୁଜୁ କରିଛି । ଆଜି ସାରା ରାଜ୍ୟରେ ଏନେଇ ପ୍ରତିବାଦ କରାଯାଇଛି । ସମ୍ବଲପୁରରେ ଜିଲ୍ଲା ବିଜେଡି ଓ ମହିଳା ବିଜେଡି ପକ୍ଷରୁ ଏହାର ପ୍ରତିବାଦ କରାଯାଇ ସ୍ଥାନୀୟ ଜେଲ ଛକରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ସର୍କିଟ ହାଉସ ପର୍ଯ୍ୟନ୍ତ ଯାଇଥିଲା । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ତୁରନ୍ତ ଗିରଫ କରିବା, ଜଣେ ମହିଳା ଆଇଆଇସିଙ୍କୁ ଆକ୍ରମଣ କରିଥିବାରୁ ବିଜେପି ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିବା, ଜୟନାରାୟଣଙ୍କୁ ବିରୋଧିଦଳ ନେତା ପଦରୁ ହଟାଇବାକୁ ଦାବି କରିଛି ବିଜେଡି ।