ସହିଦ ୫ ଯବାନଙ୍କ ଭିତରେ ସତ୍ୟବାଦୀର ପୁଅ ଦେବାଶିଷ ବିଶ୍ୱାଳ

1 min read

ନନ୍ଦିଘୋଷ ବ୍ୟୁରୋ: ଜାମ୍ମୁ ଓ କାଶ୍ମୀର ପୁଞ୍ଚରେ ଗ୍ରେନେଡ ହମଲା । ଆକ୍ରମଣରେ ୫ ଯବାନ ସହିଦ ହୋଇଥିବା ବେଳେ, ଜଣେ ଯବାନ ଆହତ ହୋଇଛନ୍ତି । ସେନା ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ କରିଥିବା ନେଇ ସ୍ପଷ୍ଟ ହୋଇଛି । ଆତଙ୍କବାଦୀମାନେ ହମଲା କରିବା ପରେ ସେନା ଟ୍ରକରେ ନିଆଁ ଲାଗି ଯାଇଥିଲା। ଏହି ହମଲାରେ ୫ ଜଣ ଯବାନ ସହିଦ ହୋଇଛନ୍ତି । ସହିଦ ଯବାନଙ୍କ ମଧ୍ୟରେ ଜଣେ ଓଡ଼ିଆ ଅଛନ୍ତି । ସହିଦ ଯବାନ ହେଲେ ପୁରୀ ଜିଲ୍ଲା ସତ୍ୟବାଦୀ ଅଞ୍ଚଳର ଦେବାଶିଷ ବିଶ୍ବାଳ ।

ମିଳିଥିବା ସୂଚନା ଅନୁଯାୟୀ ଯବାନ ଜାମୁ କାଶ୍ମୀରରେ ସେନାରେ କାର୍ଯ୍ୟରତ ଥିଲେ । ଗତବର୍ଷ ସେ ବିବାହ କରିଥିଲେ । ପୁରୀ ସତ୍ୟବାଦୀ ଆଳୁଗୁମ ଖଣ୍ଡାୟତ ସାହିରେ ଦେବାଶିଷ ବିଶ୍ବାଳଙ୍କ ଘର । ଆତଙ୍କବାଦୀମାନେ ବର୍ଷା ଓ କମ୍ ଦୃଶ୍ୟମାନର ସୁଯୋଗ ନେଇ ହମଲା କରିଥିଲେ। ପାକିସ୍ତାନରେ ସକ୍ରିୟ ଜୈଶ-ଇ-ମହମ୍ମଦ ଦ୍ୱାରା ପରିଚାଳିତ ପିପୁଲ୍ସ ଆଣ୍ଟି ଫାସିଷ୍ଟ ଫ୍ରଣ୍ଟ ବା ପିଏଏଫଏଫ ହମଲା ପାଇଁ ନିଜକୁ ଦାୟୀ କରିଛି ।

ସ୍ଥାନୀୟ ଅଞ୍ଚଳରେ ଆତଙ୍କୀ ନିରୋଧ ଅପରେସନରେ ସାମିଲ ହୋଇଥିବା ରାଷ୍ଟ୍ରୀୟ ରାଇଫଲ୍ସର ଯବାନଙ୍କୁ ଟାର୍ଗେଟ କରି ଏପରି ଆକ୍ରମଣ କରାଯାଇଛି । ସେନା ପକ୍ଷରୁ କୁହାଯାଇଛି ଯେ, ଭିମ୍ବେର ଗଳି ଅଞ୍ଚଳ ଅତିକ୍ରମ କରୁଥିବା ବେଳେ ଯବାନଙ୍କ ଟ୍ରକ୍କୁ ଟାର୍ଗେଟ କରି ଆତଙ୍କବାଦୀମାନେ ପ୍ରଥମେ ଗୁଳିମାଡ଼ କରିଥିଲେ । ଆହତ ହୋଇଥିବା ଯବାନଙ୍କୁ ରାଜୌରୀ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ବି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ଘଟଣାସ୍ଥଳରେ ଜମ୍ମୁ ଏଡିଜିପିଙ୍କ ସହ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି ।