ସମ୍ଭାବ୍ୟ ବାତ୍ୟା ‘ଜଓ୍ୱାଦ’କୁ ନେଇ ଆଜି ସ୍ପଷ୍ଟ ହେବ ଚିତ୍ର

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ଜଓ୍ୱାଦକୁ ନେଇ ଆଜି ଆସିବ ସ୍ପଷ୍ଟ ଚିତ୍ର । ଦକ୍ଷିଣ ଆଣ୍ଡାମାନ ସାଗରରେ ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ବାତ୍ୟାର ରୂପରେଖ ସ୍ପଷ୍ଟ ହେବ । ତେବେ ବାତ୍ୟା ନେଇ ସବିଶେଷ ସୂଚନା ଆସିବା ପୂର୍ବରୁ ଭୟ ବଢାଇଛି ଓ୍ୱିଣ୍ଡଲି ଆକଳନ । ଏହି ଆକଳନ କହୁଛି ବାତ୍ୟା ଗୋପାଳପୁର ଏବଂ ପୁରୀ ମଧ୍ୟରେ ଲ୍ୟାଣ୍ଡଫଲ କରିବାର ଅଧିକ ସମ୍ଭାବନା ରହିଛି । କିନ୍ତୁ ଓଡ଼ିଶା ମଧ୍ୟକୁ ଏହା ପ୍ରବେଶ କରିବା ବେଳକୁ ଦୁର୍ବଳ ହୋଇଯିବାର ସମ୍ଭାବନା ମଧ୍ୟ ରହିଛି ।

ଓଡ଼ିଶା ଉପରେ ବାତ୍ୟାର ପ୍ରଭାବ ବେଶୀ ନ ପଡ଼ିଲେ ବି ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ଲଘୁଚାପ ପ୍ରଭାବରେ ଆସନ୍ତା ୨ ତାରିଖରୁ ଓଡ଼ିଶାରେ ପାଗ ପରିବର୍ତ୍ତନ ହେବ । ୪ ତାରିଖ ବେଳକୁ ପୁରୀ, ଜଗତସିଂହପୁର, ଗଞ୍ଜାମ, ନୟାଗଡ, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, କଟକ ଏବଂ ଖୋର୍ଦ୍ଧାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଫଳରେ ଚାଷ ଜମିରେ ପାଣି ଜମିବା ସହ ଫସଲ ନଷ୍ଟ ହେବାର ଅଧିକ ସମ୍ଭାବନା ରହିଛି ।

ଅନ୍ୟପକ୍ଷରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତା ଡିସେମ୍ବର ୨ ରୁ ୩ ତାରିଖ ମଧ୍ୟରେ ଲଗାଣ ବର୍ଷା ଆଶଙ୍କା ରହିଛି । ଅମଳ ସମୟରେ ଏଭଳି ବର୍ଷା ଓ ବାତ୍ୟା ଆଶଙ୍କା ଥିବାରୁ ଫସଲ ସୁପରିଚାଳନା ପାଇଁ ମାର୍ଗଦର୍ଶିକା ଜାରି କରିଛି ଓୟୁଏଟି ।

ବର୍ଷା ଆରମ୍ଭ ପୂର୍ବରୁ ଧାନକେଣ୍ଡା ୮୫ଭାଗ ପାଚି ଯାଇଥିବା ଧାନକୁ ତୁରନ୍ତ କାଟି ନେଇ ଅମଳ ହେବା ପୂର୍ବରୁ ଏବଂ ପରେ ସୁରକ୍ଷିତ ସ୍ଥାନରେ ରଖନ୍ତୁ । କଟା ହୋଇଯାଇଥିବା ଧାନକୁ ବେଙ୍ଗଳା କରି ଦିଅନ୍ତୁ କିମ୍ବା ସମସ୍ତ କଟା ଧାନ ଅମଳ ସମ୍ଭବ ନ ହେଲେ ପଲିଥିନ୍ ଘୋଡାଇ ସୁରକ୍ଷିତ ରଖନ୍ତୁ । ଧାନ ଜମିରୁ ବଳକା ପାଣି ନିଷ୍କାସନ କରିବା ପାଇଁ ନାଳି କରନ୍ତୁ ଓ ନାଳି ମୁହଁ ଖୋଲା ରଖନ୍ତୁ । ଧାନ ଗଛ ପଡି ଯାଇଥିଲେ ବର୍ଷା ପରେ ହଳା କରି ଠିଆ କରନ୍ତୁ ।

ବର୍ଷା ଛାଡି ଖରା ପାଗ ହୋଇଗଲା ପରେ କେଣ୍ଡା କଟା ପୋକ ଲାଗିବାର ସମ୍ଭାବନା ରହିଛି। ଏହାର ନିୟନ୍ତ୍ରଣ କରିବା ପାଇଁ ସନ୍ଧ୍ୟା ସମୟରେ ପ୍ରତି ଲିଟର ପାଣିରେ ୧.୫ ମି.ଲି. ହିସାବରେ ଲାମୁଡା ସାଇହାଲୋଥ୍ରୋନ କିମ୍ବା ୨ମି.ଲି. ହିସାବରେ (କ୍ଲୋରୋପାଇରିଫସ +ସାଇପରମେଥୁନ) ସିଂଚନ କରନ୍ତୁ । ଏହା ସହିତ ହୁଡା ଚାରିପଟେ ମାଲାଥୁଅନ ୫ଡିକୁ ଏକର ପ୍ରତି ୧୦ କି.ଗ୍ରା. ହିସାବରେ ଛିଞ୍ଚି ବିଷ ବଳୟ ସୃଷ୍ଟି କରନ୍ତୁ ।

ପନିପରିବା ତଥା ରବି ଫସଲରେ ଜଳ ନିଷ୍କାସନ କରିବାପାଇଁ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ । ସମସ୍ତ ରବି ଫସଲ ଲଗାଇବା କିମ୍ବା ବୁଣିବା ସାମୟିକ ସ୍ଥଗିତ ରଖନ୍ତୁ । କୀଟନାଶକ ଔଷଧ ସିଂଚନ ଓ ଜଳସେଚନ ସାମୟିକ ବନ୍ଦ ରଖନ୍ତୁ । ବର୍ତମାନ ମୂଳା, ବିନସ, କୋଶଳା, ଧନିଆ, ପାଳଙ୍ଗ ଆଦି ଅମଳ ପାଇଁ ଉପଯୁକ୍ତ ହୋଇଥିଲେ ତୁରନ୍ତ ଅମଳ/ତୋଳି ବିକ୍ରୟ କରିବାକୁ କୁହାଯାଇଛି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟ ବିଜେପି କୋର କମିଟିରେ ସ୍ଥାନ ପାଇଲେନି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ

Leave a Reply