ପ୍ରଥମେ ବିରାଟଙ୍କୁ ପ୍ରଂଶସା କଲେ, କିନ୍ତୁ ପରେ ଫ୍ୟାନ୍ସଙ୍କ ଉପରେ କାହିଁକି ରାଗିଲେ ଜାଭେଦ ଅଖତର ?

ନନ୍ଦିଘୋଷ ବ୍ୟୁରୋ: ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନ ବିପକ୍ଷ ମ୍ୟାଚ ଜିତିବା ପରେ ଭାରତକୁ ଚାରିଆଡ଼େ କରାଯାଉଛି ପ୍ରଂଶସା । ସମସ୍ତେ ଶୁଭେଚ୍ଛା ଜଣାଉଥିବାବେଳେ ବଲିଉଡର ଜଣାଶୁଣା ଗୀତିକାର ତଥା ଲେଖକ ଜାଭେଦ ଅଖତର ବିରାଟ କୋହଲିଙ୍କୁ ପ୍ରଂଶସା କରିଥିବା ଦେଖିବାକୁ ମିଳିଛି । ସେ ନିଜର ସୋସିଆଲ ମିଡିଆ ସାଇ ଏକ୍ସରେ ବିରାଟଙ୍କୁ ପ୍ରଂଶସା କରି ଲେଖିଛନ୍ତି କି, ବିରାଟ କୋହଲି ଜିନ୍ଦାବାଦ, ଆମେ ତୁମ ପାଇଁ ଗର୍ବିତ । ଯାହାକୁ ଅନେକ ୟୁଜର୍ସମାନେ ଲାଇକ କରିଥିବାବେଳେ ଜଣେ ୟୁଜର୍ସ କମେଣ୍ଟରେ ଲେଖିଥିଲେ କି, ବାବରଙ୍କ ବାପା ହେଉଛନ୍ତି କୋହଲି । ଜୟ ଶ୍ରୀରାମ ଲେଖ । ଯାହାକୁ ନେଇ ଜାଭେଦ ଅଖତର ରାଗି ଯାଇଥିବା ଦେଖିବାକୁ ମିଳିଥିଲା ।

ଏହି ୟୁଜର୍ସଙ୍କ କମେଣ୍ଟରେ ଜାଭେଦ ଲେଖିଥିଲେ କି, ତୁମେ ଜଣେ ନିଷ୍ଠୁର ଏବଂ ନୀଚ୍ଚ ବ୍ୟକ୍ତି । କେବଳ ଅନ୍ୟକୁ ଆଘାତ କରିବା ଜାଣିଛ । ତୁମେ ଦେଶପ୍ରେମ ବିଷୟରେ କଣ ଜାଣ? ଏହାପରେ ଅନ୍ୟଜଣେ ୟୁଜର୍ସ ଉସୁକାଇ ଲେଖିଥିଲେ କି, ଆଜି ସୂର୍ଯ୍ୟ କେଉଁ ଦିଗରୁ ଉଦୟ ହୋଇଛନ୍ତି । ଏହାପରେ ଜାଭେଦ କଡ଼ା ଭାଷାରେ ଲେଖିଥିଲେ କି, ତୁମ ବାପା ଜେଜେବାପା ବ୍ରିଟିସଙ୍କ ଜୋତା ସଫା କରୁଥିଲେ । ସେହି ସମୟରେ ଆମ ବାପା ଜେଜେବାପା ବ୍ରିଟିସଙ୍କ ବିରୋଧରେ ଲଢ଼ି କଳାପାଣି ସଜା ଭୋଗିଛନ୍ତି । ତୁମେ ଦେଶପ୍ରେମ ବିଷୟରେ କଣ ଜାଣ । ମୋ ଶିରା ପ୍ରଶିରାରେ ଦେଶପ୍ରମେର ରକ୍ତ ରହିଛି ।