ଜାତି ନନ୍ଦିଘୋଷ କନକ୍ଲେଭ ୨୦୨୫: ୟୁଟ୍ୟୁବ୍ : ରୋଜଗାରର ମାଧ୍ୟମ

ଭୁବନେଶ୍ବର: ଜାତି ନନ୍ଦିଘୋଷ କନକ୍ଲେଭ ୨୦୨୫ର ଚତୁର୍ଥ ଅଧିବେଶନର ପ୍ରସଙ୍ଗ ଥିଲା ‘ୟୁଟ୍ୟୁବ୍: ରୋଜଗାରର ମାଧ୍ୟମ’ । ରାଜ୍ୟର ତିନି ଜଣ ଲୋକପ୍ରିୟ ୟୁଟ୍ୟୁବର୍ ଅଜା ଆଇ ୟୁଟ୍ୟୁବ୍ ଚ୍ୟାନେଲର କଣ୍ଟେଣ୍ଟ କ୍ରିଏଟର୍ ସୁଧାଂଶୁ ଶେଖର ସାହୁ, ବ୍ରହ୍ମପୁର ଭାଇନାର ସତ୍ୟନାରାୟଣ ଦାଶ ଏବଂ ସୁଶ୍ରୀ ସଙ୍ଗୀତା ମିଶ୍ର ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ । ଏମାନଙ୍କର ଲକ୍ଷ ଲକ୍ଷ ସବସ୍କ୍ରାଇବର୍ ଅଛନ୍ତି । ଗୋଟିଏ ଗୋଟିଏ ଭିଡିଓରେ ମିଲିୟନ ମିଲିୟନ୍ ଭ୍ୟୁ ହେଉଛି ।

ତିନି ଡିଜିଟାଲ କ୍ରିଏଟଲଙ୍କ ମତ ହେଲା, ୟୁଟ୍ୟୁବରୁ ଭଲ ରୋଜଗାର କରି ହେବ । ଏଥିପାଇଁ କଣ୍ଟେଣ୍ଟ ହିଁ ମୁଖ୍ୟ । ସାଧାରଣ ଜୀବନର ଘଟଣାକୁ ନେଇ ଭିଡିଓ କଲେ, ତାହା ଲୋକଙ୍କୁ ପସନ୍ଦ ଆସିଥାଏ, ଭାଇରାଲ୍ ହୋଇଥାଏ । ଏମିତି ବି ନୁହେଁ ଯେ, ଏଥିପାଇଁ ଦାମୀ ମୋବାଇଲ ଦରକାର କି ଫୁରା ଫିଟ୍ ଫାଟ୍ ହୋଇ, ଭଲ ଡ୍ରେସ୍ ପିନ୍ଧି ଭିଡିଓ କରିବାକୁ ପଡ଼ିବ । ମୁଖ୍ୟ କଥା ହେଲା, କଣ୍ଟେଣ୍ଟଟି ଲୋକଙ୍କ ସହିତ କନେକ୍ଟ ହୋଇପାରୁଥିବା ଉଚିତ । ତିନି ଜଣ ଯାକ ଗୋଟିଏ କଥା କହିଛନ୍ତି, ସେମାନେ ସେମିତି କିଛି ଯୋଜନା କରି ନଥିଲେ ୟୁଟ୍ୟୁବ ଚ୍ୟାନେଲ କରି ଟଙ୍କା ରୋଜଗାର କରିବାକୁ । କରୁ କରୁ ହୋଇଗଲା । ଲୋକଙ୍କ ପସନ୍ଦ ନାପସନ୍ଦକୁ ଧ୍ୟାନ ଦେଇ କଣ୍ଟେଣ୍ଟ ପ୍ରସ୍ତୁତ କରିବାକୁ ପଡ଼ିବ ବୋଲି ସେମାନେ କହିଛନ୍ତି ।

ବ୍ରହ୍ମପୁର ଭାଇନାର ସତ୍ୟନାରାୟଣ ଦାଶ କହିଛନ୍ତି, କଣ୍ଟେଣ୍ଟ ତିଆରି ବେଳେ ବାକ୍ ସଂଯମତା ରକ୍ଷା କରିବାକୁ ପଡ଼ିବ । ନିଜର ଏହି ଯାତ୍ରା କଥା ମନେ ପକାଇ ସେ କହିଥିଲେ ଏମବିଏ ଛାଡ଼, ସୁରାଟ ଚାଲ ଭିଡିଓରୁ ହିଁ ଏହା ଆରମ୍ଭ ହୋଇଥିଲା । ୟୁଟ୍ୟୁବରେ ବହୁତ ପଇସା ଅଛି । ହସି ହସି ପଇସା କମାଇଲେ ଲକ୍ଷ୍ମୀ ବି ଖୁସି ଖୁସିରେ ଆସିବେ । ବେଳେ ବେଳେ ଗୋଟିଏ ଗୋଟିଏ ଭିଡିଓ କରିବାକୁ ମାସ ମାସ ଲାଗିଯାଏ ତ କେତେବେଳେ ଅଧଘଣ୍ଟାରେ ବି ହୋଇଯାଏ ।

ସୁଶ୍ରୀ ସଙ୍ଗୀତା କହିଥିଲେ, ୟୁଟ୍ୟୁବରୁ ସିନା ପଇସା ଆସିଥାଏ । କିନ୍ତୁ ଇନଷ୍ଟାଗ୍ରାମରୁ ଆସି ନଥାଏ । ଇଷ୍ଟାରେ ଅନ୍ୟର ପ୍ରମୋସନ କରିବାରୁ ସୁବିଧା ଅଛି । ସେଥିରୁ ରୋଜଗାର କରିହେବ । ତେବେ ନାଚ, ଗୀତରେ ଆଉ କଣ୍ଟେଣ୍ଟ ସୀମିତ ନୁହେଁ । ବିଭିନ୍ନ ପ୍ରକାର କଣ୍ଟେଣ୍ଟ ତିଆରି କରାଯାଇ ପାରିବ ।

ଅଜା ଆଈ ଚ୍ୟାନେଲର ସୁଧାଂଶୁ ଶେଖର କହିଥିଲେ, ଫନି ଭିଡିଓକୁ ଲୋକେ ଭଲ ପାଆନ୍ତି। ବ୍ରହ୍ମପୁର ଭାଇନାର କଣ୍ଟେଣ୍ଟ କ୍ରିଏଟର୍ କହିଥିଲେ, ୟୁଟ୍ୟୁବ ଆୟର ସ୍ରୋତ ହୋଇପାରିବ । କିନ୍ତୁ ଏଥିପାଇଁ ସିନସିୟରଲି କାମ କରିବାକୁ ପଡ଼ିବ । ୟୁଟ୍ୟୁବ ଆପଣଙ୍କୁ ଫେସମ୍ କରିବା ସହିତ ରୋଜଗାର ଦେଇପାରିବ ବୋଲି ତିନି ଜଣ ଯାକ କଣ୍ଟେଣ୍ଟ କ୍ରିଏଟର୍ କହିଥିଲେ ।

ନଜର ପକାନ୍ତୁ