ଜାତି ନନ୍ଦିଘୋଷ କନକ୍ଲେଭ-୨୦୨୫: ନାରୀ; କେବଳ ଦୁଇଟି ଅକ୍ଷର ନୁହେଁ

ଭୁବନେଶ୍ବର: ଜାତି ନନ୍ଦିଘୋଷ କନକ୍ଲେଭର ତୃତୀୟ ଅଧିବେଶନ ଆଜିର ଦିନରେ ମହିଳାମାନେ ସମ୍ମୁଖୀନ ହେଉଥିବା ଚ୍ୟାଲେଞ୍ଜକୁ ନେଇ ରହିଥିଲା ବିତର୍କ ‘ନାରୀ: କେବଳ ଦୁଇଟି ଅକ୍ଷର ନୁହେଁ’ । ଏଥିରେ ବିଏମସି ମେୟର ସୁଲୋଚନା ଦାସ, କଟକ ବାରବାଟୀର ବିଧାୟିକା ସୋଫିଆ ଫିର୍ଦ୍ଦୋଶ ଏବଂ ଅଭିନେତ୍ରୀ ପୁଷ୍ପା ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜ ନିଜର ମତ ରଖିଥିଲେ ।

ବିଏମସି ମେୟର ସୁଲୋଚନା ଦାସ କହିଥିଲେ, ଜୀବନରେ ସବୁଠି ଚ୍ୟାଲେଞ୍ଜ ଅଛି । କେଉଁଠାରେ କିଛି ବି ସହଜ ନୁହେଁ । ଚ୍ୟାଲେଞ୍ଜକୁ ଏକ ସୁଯୋଗ ଭାବି ଆଗକୁ ବଢ଼ିବାକୁ ପଡ଼ିବ । ସରକାର ବଦଳିବା ପରେ ମୋତେ ଏମିତି ପ୍ରଶ୍ନ କଷ୍ଟ ଦେଉଥିଲା । ମୁଁ କହିଥିଲି, ସତ୍ତା ପରିବର୍ତ୍ତନକୁ ସ୍ବୀକାର କରିବା ସହ ଆଗକୁ ବଢ଼ିବାକୁ ପଡ଼ିବ । ଅସୁବିଧା ଆସିବ, ଏହାକୁ ମୁକାବିଲା କରିବାର ମଧ୍ୟ କଳା ଅଛି । ଲୋକେ ଆମକୁ କାମ କରିବାକୁ ପଠାଇଛନ୍ତି, ଆମେ ତାଙ୍କ ପାଇଁ କାମ କରିବା ।

ସେହିପରି ଗୃହଣୀ ବତ କିଛି କମ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉନାହାନ୍ତି । ଏକ ସୁନ୍ଦର ପରିବାର ଗଢ଼ିବା ଓ ଏହାକୁ ସୁରୁଖୁରରେ ଚଲାଇବା ଏକ ବଡ଼ ଚ୍ୟାଲେଞ୍ଜ । ଆମକୁ ଏଠି ପହଞ୍ଚାଇବାରେ ପୁରୁଷଙ୍କର ବି ହାତ ରହିଛି । ପୁରୁଷ କି ମହିଳା ଏକୁଟିଆ କେହି କିଛି କରିପାରିବେ ନାହିଁ । ଏକ ସୁସ୍ଥ ସମାଜ ଗଠନ ପାଇଁ ମିଳିମିଶି କାମ କରିବାକୁ ପଡ଼ିବ । ଆମ ପରି ମହିଳାଙ୍କୁ ଏପରି ଚ୍ୟାଲେଞ୍ଜକୁ ଆହ୍ବାନ ଭାବେ ଗ୍ରହଣ କରି ଅସୁବିଧାକୁ ସୁଯୋଗରେ ପରିଣତ କରିବାକୁ ପଡ଼ିବ ।

ବିଧାୟିକା ସୋଫିଆ ଫିର୍ଦ୍ଦୋସ କହିଥିଲେ, ଆମକୁ ଆମ ସାଂସ୍କୃତି ଓ ପରମ୍ପରାକୁ ନେଇ ଆଗକୁ ବଢ଼ିବାକୁ ପଡ଼ିବ । ଚରମ ସ୍ବାଧୀନତାରେ ମଧ୍ୟ ବହୁତ ସମସ୍ୟା ରହିଛି । ପୁରୁଷ ଓ ମହିଳା ସମାନ ଭାବେ ଅଂଶଗ୍ରହଣ କରିବା ଉଚିତ । ମହିଳାମାନେ ନିଜ ଗୋଡ଼ରେ ଛିଡ଼ା ହେଲେ ଏହା ସମ୍ଭବ ହୋଇପାରିବ । ମହିଳାଙ୍କୁ ଆର୍ଥିକ ଭାବେ ସ୍ବାବଲମ୍ବୀ ହେବାକୁ ପଡ଼ିବ । ସହରାଞ୍ଚଳରେ ପରିବେଶ ବଦଳିଲାଣି । ଏଠାରେ ବହୁତ ସୁବିଧା ମିଳୁଛି । ହେଲେ ଗ୍ରାମାଞ୍ଚଳରେ ସେପରି ସୁବିଧା ନାହିଁ । ଝିଅମାନେ ଆଜି ବି ଜାଣିପାରୁନାହାନ୍ତି ପାଠ ପଢ଼ିବା ପରେ କ’ଣ କରିବେ । ଷ୍ଟାର୍ଟ ଅଫ୍ କେବଳ ଭୁବନେଶ୍ଵର କି କଟକରେ ହେଲେ ହେବନି । କଟକ ଓ ଭୁବନେଶ୍ବର ଛାଡ଼ି ରାଜ୍ୟରେ ଅନ୍ୟ ସ୍ଥାନକୁ ବି କମ୍ପାନୀଙ୍କୁ ନଜର ଦେବାକୁ ପଡ଼ିବ ।

ସେହିପରି ଅଭିନେତ୍ରୀ ପୁଷ୍ପା ପଣ୍ଡା ଅତିଥି ଭାବେ ଯୋଗ ଦେଇ କହିଥିଲେ, ନାରୀ କେନ୍ଦ୍ରିକ ଚଳଚ୍ଚିତ୍ର ହୋଇଛି, କିନ୍ତୁ ଅଧିକ ନୁହେଁ । ଆଜିର ରେବତୀ ନାଁରେ ଏକ ନାରୀ କେନ୍ଦ୍ରୀକ ଫିଲ୍ମ ଆସୁଛି । ଏଥିରେ ମୁଁ ଏକ ରୁକ୍ଷ ଚରିତ୍ରରେ ଅଭିନୟ କରିଛି । ପୁରୁଷମାନଙ୍କ ପାଇଁ ବି ଲକ୍ଷ୍ମଣରେଖା ରହିଛି । ନାରୀ ପାଖେ ସଂସ୍କାର ଥିଲେ, ପରିବାର କି ପିଲାଛୁଆ ଲକ୍ଷ୍ମଣରେଖା ଡେଇଁବେନି । ଏବେ ବି ମହିଳା ଦୁଷ୍କର୍ମ ଓ ବିଭିନ୍ନ ପ୍ରକାର ନିର୍ଯାତନାର ଶିକାର ହେଉଛନ୍ତି । ଏହା ବନ୍ଦ ହେବା ଦରକାର । ଲୋକଙ୍କ ମାନସିକତା ଧୀରେ ଧୀରେ ବଦଳୁଛି । ଭଲ ଥିଲେ ଖରାପ ଥାଏ, ଖରାପ ଥିଲେ ଭଲ ଥାଏ । ସମାଜର ଦୃଷ୍ଟିଭଙ୍ଗୀ ବଦଳିଛି ।

ଦାରୀ ନିର୍ଯାତନାକୁ ନେଇ ସୁଲୋଚନା କହିଥିଲେ, ମାନସିକତା ବଦଳିବା ଦରକାର । ଘରୁ ଏହା ଆରମ୍ଭ ହେବା ଉଚିତ । ବାପାମାଆ ସବୁବେଳେ ଚାହାନ୍ତି ସେମାନଙ୍କ ଝିଅ ସୁରକ୍ଷିତ ରହୁ । ସବୁବେଳେ ପୁଅଙ୍କୁ ବଦନାମ କରିବା ଉଚିତ ନୁହେଁ । ଶିକ୍ଷିତ ହେବା ସତ୍ତ୍ଵେ ଗର୍ଭପାତ ହେଉଛି । ପାଠ ପଢୁଆ ଘରେ ବି ଏହି ମାନସିକତା ରହୁଛି । ସମସ୍ତେ ପୁଅ ଚାହିୁଛନ୍ତି । ଧୀରେ ଧୀରେ ଏହା ବଦଳୁଛି । ସମସ୍ତେ ସଚେତନ ହେବା ଉଚିତ । ଝିଅମାନେ ବି ନିଜକୁ ସାବ୍ୟସ୍ତ କରୁଛନ୍ତି । ସମସ୍ତେ ମିଶିଲେ ହିଁ ସୁନ୍ଦର ସମାଜ ଗଠନ ହୋଇପାରିବ ।

ଆଗକୁ ସୁଲୋଚନା କହିଥିଲେ, ଏମିତି ବି ସମୟ ଆସିବ ଲାଗିବ ଆଉ ହେବନି । ହେଲେ ମହିଳାଙ୍କୁ ହାର ମାନିବା ଉଚିତ ନୁହେଁ । ଯଦି ହେଲାନି ତ ପୁଣି ଚେଷ୍ଟା କରିବା, ଯେଉଁଠି ଅସୁବିଧା ରହିଲା ତାକୁ ସୁଧାରିବା । କ୍ୟାରିୟର୍ ଓ ପରିବାର ତାକୁ ସବୁବେଳେ ଦ୍ଵନ୍ଦ୍ଵ ରହିବ । ମୋ ପାଇଁ ମୋ ପୁଅର କ୍ୟାରିୟର ଅଧିକ ଗୁରୁତ୍ଵପୂର୍ଣ୍ଣ ଥିଲା । ତେଣୁ ମୁଁ ତାକୁ ପ୍ରାଥମିକତା ଦେଲି । ତା’ପରେ ମୁଁ ପଲିଟିକ୍ସକୁ ଆସିଲି ।

ସେହିପରି ରାଜନୀତିରେ ଅଧିକ ସଂଖ୍ୟାରେ ମହିଳା ସାମିଲ ହେବା ଉପରେ ସୋଫିଆ ଗୁରୁତ୍ବ ଦେଇଥିଲେ । ସେ କହିଥିଲେ ଅଧିକ ସଂଖ୍ୟାରେ ମହିଳା ସାଂସଦ ଓ ବିଧାୟକ ଜିତି କି ଆସିଲେ ସେମାନେ ନିଷ୍ପତ୍ତି ନେବା ପ୍ରକ୍ରିୟାରେ ଅଂଶ ହେବେ । ଦଣ୍ଡ ପ୍ରତି ଭୟ ନ ରହିଲେ ଅପରାଧ ବଢିବ । ତେଣୁ ଅପରାଧ ପ୍ରତି ଲୋକଙ୍କ ଭୟ ରହିବା ଦରକାର । ସୁଯୋଗ ମିଳିଲେ ମହିଳା ବି ସଫଳତା ପାଇ ପାରିବେ ବୋଲି କହିଥିଲେ ।

ଦକ୍ଷତା ନ ଥିଲେ ଅଧିକାର କେହି ଦେବେନି । ଶାଳୀନତା ଭିତରେ ରହି ଦକ୍ଷତାକୁ ପ୍ରତିପାଦିତ କଲେ ଅଧିକାର ଆପେ ଆପେ ମିଳିବ । ଆଉ ଇଚ୍ଛାଶକ୍ତି ଥିଲେ ଏହା ସମ୍ଭବ ହୋଇପାରିବ । ନାରୀଙ୍କ ସମ୍ମାନ ପାଇଁ ରାମାୟଣ ଓ ମହାଭାରତ ହୋଇଛି । ମହିଳାଙ୍କ ପାଖରେ ପାୱାରଫୁଲ୍ ଜିନ୍ ରହିଛି । ନିଜକୁ ଶକ୍ତିଶାଳୀ ଜେନେଟିକାଲି ବୋଲି ମହିଳାଙ୍କୁ  ଭାବିବାକୁ ପଡ଼ିବ । ଏଥିପ୍ରତି ସଚେତନତା ସୃଷ୍ଟି କରିବାକୁ ପଡ଼ିବ । ସହଯୋଗିତାରେ ଚାଲିଲେ ସମସ୍ୟା ରହିବ ନାହିଁ । ସିଙ୍ଗଲ୍ ଓମେନଙ୍କ ପାଇଁ ଚ୍ୟାଲେଞ୍ଜ ରହିଛି । ସେମାନେ କିପରି ସୁରକ୍ଷିତ ଭାବେ ବଞ୍ଚି ପାରିବେ, ତାକୁ ଦେଖିବାକୁ ପଡ଼ିବ ବୋଲି ଅତିଥିମାନେ ମତ ଦେଇଥିଲେ ।