ମଦ ଦିଅ… ରାତି ୧୦ ପରେ ଦୋକାନ ଖୋଲ !

ଖୋର୍ଦ୍ଧା: କୋଭିଡ୍ ପାଇଁ ରାତି ୧୦ ପରେ ବନ୍ଦ ହେବ ସବୁ ଦୋକାନ । ନିୟମ ଅଛି ହେଲେ ତା’ବାଟରେ । ଏଠି ପୋଲିସ ସବୁ ନିୟମକୁ ଦଳି ଚକଟି ଦେଇଛି । ଜଟଣୀ ସହର ହରି ଭାଇନା ଛକରେ ରାତି ୧୦ଟା ପରେ ମଦ ଦୋକାନ ଖୋଲି ରହୁଥିବାରୁ ଗଣ୍ଡଗୋଳ ହେଉଥିବା ଅଭିଯୋଗ ହୋଇଥିଲା । ଏନେଇ ଲୋକଙ୍କ ଅଭିଯୋଗ ପରେ ପୋଲିସ ତଦନ୍ତ ପାଇଁ ମଦ ଦୋକାନରେ ପହଞ୍ଚିଲା । ଫେରିବା ବେଳକୁ ମଦ ଦୋକାନରୁ ଏକ କଳା ପଲିଥିନରେ କିଛି ମଦ ମିଳିଲା ।
ଆଉ ଏ ହେଉଛି ତା’ପରର ଦୃଶ୍ୟ । ୮ ତାରିଖରେ ପୋଲିସ ତଦନ୍ତ ପାଇଁ ଲାଞ୍ଚ ଆକାରରେ ମଦ ଆଣିବା ପରେ ୧୨ ତାରିଖ ରାତିରେ ମଦ ଦୋକାନ ଆଗରେ ପୋଲିସ ପଇଁତରା ଦେଉଛି । ସମୟ ରାତି ୧୧ଟା ୩୩ ହୋଇଥିବା ବେଳେ ମଦ ଦୋକାନ ଖୋଲା ରହିଛି । ପୋଲିସ ବାବୁ ମଦ ଦୋକାନ ଆଗରେ ବୁଲୁଛନ୍ତି । କିନ୍ତୁ ନାଇଟ୍ କର୍ଫ୍ୟୁ ସତ୍ତ୍ୱେ ମଦ ଦୋକାନ ବନ୍ଦ କରିବାକୁ ତାଗିଦ୍ କରୁନାହାଁନ୍ତି । ଏବେ ଏହି ଭିଡିଓ ଭାଇରାଲ୍ ପରେ ଜଟଣୀ କମିଶନରେଟ୍ ପୋଲିସର ପ୍ରକୃତ ଚେହେରା ପଦାରେ ପଡ଼ିଛି ।