ଜଟଣୀବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର

1 min read

ଭୁବନେଶ୍ବର: ପୂରଣ ହେବ ଦୀର୍ଘ ବର୍ଷର ସ୍ବପ୍ନ । ହୀରାକୁଦ ବନ୍ଧ ବିସ୍ଥାପିତ ଓ ଗଞ୍ଜାମ ସୋରଡ଼ା ପରେ ଜଟଣୀବାସୀଙ୍କୁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ବଡ଼ ଉପହାର । ଖାସମାହଲ ଜମି ସମସ୍ୟାର ସମାଧାନ କରିଛନ୍ତି ରାଜ୍ୟ ସରକାର । ଲୋକଙ୍କୁ ଜମି ପଟ୍ଟା ଦେବାକୁ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ପରେ ଏବେ ଜଟଣୀରେ ଉତ୍ସାହ ଦେଖିବାକୁ ମିଳିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ଓ 5t ସଚିବଙ୍କୁ କୃତଜ୍ଞତା ଜଣାଇଛନ୍ତି ଜଟଣୀବାସୀ । ଟାଉନ୍ ଖାସମାହଲ ଜମି ପଟ୍ଟା ବଣ୍ଟନ କରିବେ ରାଜ୍ୟ ସରକାର । କୃତଜ୍ଞତା ଜଣାଇଲେ ୫୩୭ରୁ ଅଧିକ ପରିବାର । ପୁରାତନ ସହର ଖୋର୍ଦ୍ଧା ଜିଲ୍ଲାର ଜଟଣୀ । ବର୍ତ୍ତମାନ ଯେଉଁ ସ୍ଥାନ ଉପରେ ଜଟଣୀ ସହର ଅବସ୍ଥିତ ସରକାରୀ ରେକର୍ଡରେ ତାର ନାମ ରହିଛି ଟାଉନ ଖାସମାହଲ ।

ଯାହାକୁ ୯୯ ବର୍ଷିଆ ଲିଜରେ ଲୋକଙ୍କୁ ପ୍ରଦାନ କରାଯାଇଥିଲା । ୧୯୯୯ରେ ଲିଜ ଅବଧି ସରିଛି । ଏହାର ନବୀକରଣ କରାଯାଇ ନଥିବାରୁ ପ୍ରାୟ ୫୩୭ରୁ ଉର୍ଦ୍ଧ୍ବ ଲିଜଧାରୀ ପରିବାର ସମସ୍ୟାର ସମ୍ମୁଖୀନ ହୋଇଥିଲେ । ନବୀକରଣ ପାଇଁ ଦୀର୍ଘଦିନ ଧରି ସେମାନେ ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ । ତେବେ ୨୩ ତାରିଖରେ ଫାଇଭ-ଟି ସଚିବ ଜଟଣୀରେ ଜନ ଶୁଣାଣି ବେଳେ ଏନେଇ ଲୋକଙ୍କ ଠାରୁ ଅଭିଯୋଗ ଗ୍ରହଣ କରିଥିଲେ । ଅଭିଯୋଗ ପାଇବାର ମାତ୍ର ୧୦ ଦିନ ପରେ ମୁଖ୍ୟମନ୍ତ୍ରୀ ଏହାକୁ ଅନୁମୋଦନ କରି ପଟ୍ଟା ପ୍ରଦାନ ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତି ପରେ ଜଟଣୀବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ଦୀର୍ଘବର୍ଷ ସମସ୍ୟାର ସମାଧାନ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଓ 5t ସଚିବଙ୍କୁ ଜଣାଇଛନ୍ତି କୃତଜ୍ଞତା ।

5t ସଚିବଙ୍କୁ ଲୋକ ଜଣାଇଥିବା ଅଭିଯୋଗର ବିଚାରକରି ରାଜ୍ୟ ସରକାର ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ୩ ମାସ ମଧ୍ୟରେ ଜମିଜମା ସମସ୍ୟାର ସ୍ଥାୟୀ ସମାଧାନ କରାଯାଇ ଆଗାମୀ ଡିସେମ୍ବରରେ ଲୋକଙ୍କୁ ପଟ୍ଟା ବଣ୍ଟନ କରିବାକୁ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି । ଲୋକଙ୍କୁ ପଟ୍ଟା ଦେବାପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପଟ୍ଟା ମିଳିବା ପରେ ବ୍ୟବସାୟୀକ ଉନ୍ନତି, ବାସସ୍ଥାନ ପ୍ରମାଣପତ୍ର ସହ ଆହୁରି ଅନେକ ସୁବିଧା ସୁଯୋଗ ମିଳିବ । ଗଣେଶ ପୂଜା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପୂଜା ମାହଲକୁ ଦ୍ବିଗୁଣିତ କରିଛି ।