ଏଥର ଜଟଣୀରୁ ମୁଁ ନୁହେଁ ପୁଅ: ସୁର ରାଉତରାୟ

1 min read

ଭୁବନେଶ୍ୱର: ଜଟଣୀରୁ ଆଉ ନିର୍ବାଚନ ଲଢ଼ିବେନି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ । ଏ କଥା ଆମେ କହୁ ନାହୁଁ । ଖୋଦ୍ ସୁର ରାଉତରାୟ ଏହି କଥା ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି କି ଆର ଥରକୁ ମୁଁ ଆଉ ନିର୍ବାଚନ ଲଢ଼ିବିନି । ମୋତେ ଏବେ ୭୯ ବର୍ଷ ବୟସ ହେଲାଣି । ୨୦୨୪ ନିର୍ବାଚନ ବେଳକୁ ମୋତେ ୮୦ ହୋଇସାରିଥିବ । ତେଣୁ ଆଗାମୀ ନିର୍ବାଚନରେ ମୋର ସାନ ପୁଅ ମନ୍ମଥ ରାଉତରାୟ ଜଟଣୀରୁ କଂଗ୍ରେସ ଦଳରୁ ପ୍ରାର୍ଥୀ ହେବ ବୋଲି ଗଣମାଧ୍ୟମରେ କହିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ ।

ସେ ଆହୁରି କହିଛନ୍ତି- କଂଗ୍ରେସ ଦଳ ଓ୍ୱାନ୍ ଫ୍ୟାମିଲି, ଓ୍ୱାନ୍ ଟିକେଟ୍ ନୀତିରେ ଆଗେଇବାକୁ ଯାଉଛି । ଏ ଦୃଷ୍ଟିରୁ ମୋର ସାନ ପୁଅ ଆସନ୍ତା ନିର୍ବାଚନରେ ପ୍ରାର୍ଥୀ ହେବ । ମୁଁ ପୂର୍ବରୁ ବି ଘୋଷଣା କରିଥିଲି, ଏବେ ବି ସେହି କଥା ଘୋଷଣା କରୁଛି । ଆଗକୁ ଯଦିଓ ସକ୍ରିୟ ରାଜନୀତିରେ ରହିବି ନାହିଁ କିନ୍ତୁ ମୃତ୍ୟୁ ପର୍ଯ୍ୟନ୍ତ ଜନସାଧାରଣ ଓ କଂଗ୍ରେସ ପାଇଁ କାମ କରିବି ବୋଲି କହିଛନ୍ତି ସୁର ରାଉତରାୟ ।