spot_img

Latest Posts

ଜଟଣୀ ଖାସମାହଲ ଜମି ସମସ୍ୟାର ହେବ ସମାଧାନ, ଡିସେମ୍ବରରୁ ପଟ୍ଟା ବଣ୍ଟନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି

ଭୁବନେଶ୍ୱର: ହୀରାକୁଦ ବନ୍ଧ ବିସ୍ଥାପିତ ଓ ଗଞ୍ଜାମ ସୋରଡ଼ା ପରେ ଜଟଣୀବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର । ଜଟଣୀର ବର୍ଷବର୍ଷ ସମସ୍ୟାର ହେଲା ସମାଧାନ । ଖାସମାହଲ ଜମି ସମସ୍ୟାର ସମାଧାନ କଲେ ରାଜ୍ୟ ସରକାର । ଲୋକଙ୍କୁ ଜମି ପଟ୍ଟା ଦେବାକୁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 5T ସଚିବଙ୍କୁ ଲୋକ ଜଣାଇଥିବା ଅଭିଯୋଗର ବିଚାରକରି ରାଜ୍ୟ ସରକାର ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ତିନି ମାସ ମଧ୍ୟରେ ଜମିଜମା ସମସ୍ୟାର ସ୍ଥାୟୀ ସମାଧାନ କରାଯାଇ ଆଗାମୀ ଡିସେମ୍ବରରେ ଲୋକଙ୍କୁ ପଟ୍ଟା ବଣ୍ଟନ କରିବାକୁ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି ।

ଲୋକଙ୍କୁ ପଟ୍ଟା ଦେବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାଦ୍ବାରା ୫୩୭ ପରିବାର ଉପକୃତ ହେବେ । ସେହିପରି ଭୁବନେଶ୍ବର ତହସିଲରେ ପତିତ ଜମିର ସ୍ବତ୍ତ୍ବ ନେଇ ଦୀର୍ଘ ୬୦ ବର୍ଷ ଧରି ସମସ୍ୟା ଲାଗି ରହିଛି । ଏ ସମ୍ପର୍କରେ ବିଭିନ୍ନ ରାଜସ୍ବ ଅଦାଲତରେ ୧୦ ହଜାର ୫୪୩ଟି ମାମଲା ରହିଛି । ଏହି ପତିତ ଜମି ସମ୍ପର୍କରେ ଗଠିତ ରାଜସ୍ବ ବିଭାଗର ଟାସ୍କ ଫୋର୍ସ ଦ୍ବାରା ନିର୍ଦ୍ଧାରିତ SOP ଭିତ୍ତିରେ ସମସ୍ୟାର ସମାଧାନ କରାଯିବ ।

ଖୋର୍ଦ୍ଧା ଜିଲ୍ଲା ଗସ୍ତ ସମୟରେ ଲୋକମାନେ ଫାଇଭ-ଟି ସଚିବଙ୍କୁ ଜମିଜମା ସଂପର୍କରେ ଅଭିଯୋଗ ଜଣାଇଥିଲେ । ଜଟଣୀ ତହସିଲରେ ଖାସମାହଲ ସମସ୍ୟା ଦୀର୍ଘ ବର୍ଷଧରି ଲାଗି ରହିଥିବାରୁ ସମାଧାନ ପାଇଁ ଅନୁରୋଧ କରିଥିଲେ । ଏନେଇ 5T ସଚିବ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ପରେ ପଟ୍ଟା ବଣ୍ଟନ ନେଇ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି ।

ବୈଠକରେ 5T ସଚିବ ଭି.କେ. ପାଣ୍ଡିଆନଙ୍କ ସହିତ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ଅନୁ ଗର୍ଗ, ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । 5T ସଚିବଙ୍କୁ ଜନସାଧାରଣ ଦେଇଥିବା ଅଭିଯୋଗର ତୁରନ୍ତ ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭାଗ ଓ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ୟାର ସମାଧାନ ନେଇ ଚଳିତ ମାସ ମଧ୍ୟଭାଗରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ।

Latest Posts

Don't Miss