ଠିକାଦାରଙ୍କ ମନମାନି ଯୋଗୁଁ ଅକାଳରେ ଚାଲିଗଲା ଜୀବନ: ନିଦାବିଷର୍ଣ୍ଣୁ ପୂର୍ତ୍ତ ବିଭାଗ!
1 min read
ନନ୍ଦିଘୋଷ ବ୍ୟୁରୋ: ସମସ୍ତେ ଆନନ୍ଦ ଉଲ୍ଲାସରେ ହୋଲିରେ ରଙ୍ଗ ଅବିରରେ ଭିଜିଥିବାବେଳେ ଜଟଣୀ ବିଶ୍ଵନାଥ କଲୋନୀର ତ୍ରିନାଥ ସାହୁଙ୍କ ପରିବାର ଭିଜିଛି ଆଖି ଲୁହରେ । ପରିବା କିଣିବାକୁ ସ୍ତ୍ରୀଙ୍କୁ କହି ବଜାରକୁ ଯାଇଥିଲେ ତ୍ରିନାଥ । ହେଲେ ଫେରିବା ବାଟରେ ରାସ୍ତା ଉପରେ ସତେ ଯେମିତି ଛକି ବସିଥିଲା ଯମ । ଗାଡି ଚକ ସ୍ଲିପ କରିବାରୁ ନିର୍ମାଣାଧୀନ ଡ୍ରେନରୁ ବାହାରିଥିବା ରଡ ଛାତିରେ ପଶିଯିବାରୁ ଛଟପଟ ହୋଇ ସେଇଠି ପ୍ରାଣ ହରାଇଥିଲେ ତ୍ରିନାଥ । ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଗଲା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏବେ ପ୍ରଶ୍ନ ଉଠୁଛି ଏପରି ଦାୟିତ୍ବହୀନତା ଲାଗି ଦାୟୀ କିଏ ? ପୂର୍ତ୍ତ ବିଭାଗ ନା ଠିକାଦାର ?
ହୋଲି ଦିନ ଉଜୁଡିଗଲା ସଂସାର । ସମସ୍ତେ ଆନନ୍ଦ ଉଲ୍ଲାସରେ ରଙ୍ଗ ଖେଳୁଥିବା ବେଳେ ଲୁହରେ ଭିଜିଲା ଜଟଣୀ ପୌରପରିଷଦ ୧୧ ନମ୍ବର ୱାର୍ଡର ବିଶ୍ଵନାଥ କଲୋନୀ । ପରିବା କିଣିବାକୁ ଯାଇ ଆରପାରିକୁ ଚାଲିଗଲେ ତ୍ରିନାଥ । ରାସ୍ତା ଉପରେ ବାଲି ପଡିଥିବାରୁ ଚକା ସ୍ଲିପ କରିବାରୁ ନିର୍ମାଣଧୀନ ଡ୍ରେନର ରଡ ଛାତିରେ ପଶିଯାଇଥିବାରୁ ତ୍ରିନାଥଙ୍କ ଘଟଣାସ୍ଥଳରେ ମୃତ୍ଯୁ ହୋଇଥିଲା । ଟିକେ ନଜର ପକାନ୍ତୁ ଏହି ରାସ୍ତା ଉପରେ କିପରି ନିର୍ମାଣଧୀନ ଡ୍ରେନ ଉପରକୁ ବାହାରିଛି ଲୁହା ରଡ । ଏହି ରାସ୍ତା ଜଣଙ୍କର ମୁଣ୍ଡ ନେଇସାରିଲାଣି । ହେଲେ ଘଟଣାସ୍ଥଳକୁ କୌଣସି ଅଧିକାରୀ ନିରୀକ୍ଷଣ ପାଇଁ ପହଞ୍ଚିନଥିବା ଅଭିଯୋଗ ହୋଇଛି ।
ପୂର୍ତ୍ତ ବିଭାଗ ଠିକା ସଂସ୍ଥାକୁ ଡ୍ରେନ କାମ ଦେଇ କୌଣସି ଅଧିକାରୀଙ୍କୁ କାର୍ଯ୍ୟ ସ୍ଥଳକୁ ନିରୀକ୍ଷଣ ପାଇଁ ନ ପଠାଇବାରୁ ଠିକାଦାର ଏଭଳି ମରଣଯନ୍ତା କରିଥିବା ଅଭିଯୋଗ ହୋଇଛି । ଏପଟେ ଠିକା ସଂସ୍ଥା ଦୀର୍ଘ ଦିନ ଧରି କାମ କରୁଥିଲେ ସୁଦ୍ଧା ଜଟଣୀ ପୌର ପରିଷଦକୁ କୌଣସି ସୂଚନା ଦେଇନଥିବା ପୌରାଧ୍ଯକ୍ଷ ଅଭିଯୋଗ କରିଛନ୍ତି । ଏଠି ପ୍ରଶ୍ନ ଉଠୁଛି- ରାସ୍ତା କାମ ଚାଲୁଥିବା ବେଳେ କାହିଁକି ଲଗାଯାଇନଥିଲା ନୋ ଏଣ୍ଟ୍ରି ବୋର୍ଡ ? ଖୋଲା ଡ୍ରେନରେ ରଡ ବାହାରିଥିବା ବେଳେ ଠିକାଦାର କାହିଁକି ବାଇକ ଚାଳକଙ୍କ ପାଇଁ ସତର୍କ ଫଳକ ଲଗାଇନଥିଲା ? କାହିଁକି ରାସ୍ତା ଉପର ବାଲି ସଫା କରାଯାଇନଥିଲା ? ଠିକା ସଂସ୍ଥାର ଖାମଖିଆଲି ମନୋଭାବ ଯୋଗୁଁ ନିରୀହ ଲୋକଙ୍କ ଜୀବନ ଯିବା ପରେ ବି ଚୁପ ରହିଛନ୍ତି ପୂର୍ତ୍ତ ବିଭାଗ । ଅନ୍ଯପଟେ ଏ ବିଷୟରେ ପୂର୍ତ୍ତ ବିଭାଗ ମୁହଁ ଖୋଲୁନଥିବା ଦେଖିବାକୁ ମିଳିଛି । କେବେ ପୂର୍ତ୍ତ ବିଭାଗର ନିଦ ଭାଙ୍ଗିବ ଆଉ କାହାର ଜୀବନ ଯିବା ପୂର୍ବରୁ ନିର୍ମାଣଧୀନ ଡ୍ରେନର କାମ ସରିବ ତା ଉପରେ ସମସ୍ତଙ୍କ ନଜର ରହିଛି ।