ଖୁବ୍ ଶୀଘ୍ର ପୂରଣ ହେବ ମହାକାଶ ଯିବା ସ୍ୱପ୍ନ, ଆସୁଛି ନୂଆ ଟେକ୍ନୋଲୋଜିର ବେଲୁନ୍

ନନ୍ଦିଘୋଷ ବ୍ୟୁରୋ: ମହାକାଶ ଯିବା ପାଇଁ ସ୍ବପ୍ନ ଦେଖୁଛନ୍ତି କି ? ତାହେଲେ ଖୁବ୍ ଶୀଘ୍ର ପୂରଣ ହେବ ଆପଣଙ୍କ ସ୍ବପ୍ନ। ଏଥର କେବଳ ବୈଜ୍ଞାନିକ ନୁହେଁ, ମହାକାଶ ଯାତ୍ରା କରିପାରିବେ ସାଧାରଣ ଲୋକ। ଆଉ ଏ ଯାତ୍ରା ପାଇଁ କୌଣସି ସ୍ପେସ୍ ସିପର ଆବଶ୍ୟକ ନାହିଁ। ବେଲୁନ୍ ଜରିଆରେ ଆପଣ ମହାକାଶ ଭ୍ରମଣର ସୁଯୋଗ ପାଇ ପାରିବେ। ଆଜ୍ଞା ହଁ ଏହା ଆଶ୍ଚର୍ଯ୍ୟ ଲାଗିଲେ ବି ସତ ।

ଜାପାନର ଷ୍ଟାର୍ଟଅଫ୍ ଇଓ୍ବାୟା ଗିକନ୍ ହିଲିୟମ ବେଲୁନ୍ ସାହାଯ୍ୟରେ ଷ୍ଟ୍ରାଟୋସ୍ପିୟରକୁ ଯାଇ ଦେଖିପାରିବେ ପୃଥିବୀର ବକ୍ର ଦୃଶ୍ୟ। କିନ୍ତୁ ଏଥିପାଇଁ ଆପଣଙ୍କୁ ଖର୍ଚ୍ଚ କରିବାକୁ ପଡିବ ପ୍ରଚୁର ଅର୍ଥ । ଜାପାନର ଏହି କମ୍ପାନୀ ୨୫ କିମି ଉଚ୍ଚରୁ ପୃଥିବୀର ବକ୍ର ଦୃଶ୍ୟ ଦେଖିବାକୁ ଯାତ୍ରୀ ମାନଙ୍କୁ ପ୍ରତିଶ୍ରୃତି ଦେଇଛି । ହେଲେ ଏଥିପାଇଁ ଆପଣଙ୍କୁ ୧୮ଲକ୍ଷ ଡଲାର ବା ୨୪ ମିଲିୟନ ୟେନ୍ ଦେବାକୁ ପଡିବ । ପ୍ରାଥମିକ ପର୍ଯ୍ୟାୟରେ ଅଧିକ ମୂଲ୍ୟ ଧାର୍ଯ୍ୟ କରାଯିବା ନେଇ କମ୍ପାନୀ ସିଇଓ କିସୁକେ ଇଓ୍ବାୟା କହିଛନ୍ତି କି, ମହାକାଶ ଯାତ୍ରାକୁ ବ୍ୟବସାୟିକ କରିବା ପରେ ଏହାର ମୂଲ୍ୟ ହ୍ରାସ କରାଯିବ ।

ମହାକାଶ ଯାତ୍ରା, ପୁଣି ବେଲୁନରେ । ଏହା ଶୁଣିବାକୁ ଯେତିକି ଆଶ୍ଚର୍ଯ୍ୟ ଲାଗୁଛି, ସେତିକି ମଜାଦାର ମଧ୍ୟ । କମ୍ପାନୀ ଦ୍ବାରା ପ୍ରସ୍ତୁତ ଏହି ମହାକାଶ ଯାନ ପ୍ରାୟ ୪.୯ ଫୁଟର । ଏହା ଏକ ବାୟୁ ଅବରୋଧୀ ପ୍ଲାଷ୍ଟିକ କ୍ୟାବିନ୍ ଯାହା ୧୪୪ ଫୁଟ୍ ଚଉଡା ବିଶିଷ୍ଟ ଏକ ହିଲିୟମ୍ ବେଲୁନ ସହ ସଂଲଗ୍ନ । ଏଥିରେ ୨ ଜଣ ଯାତ୍ରୀ ବସିପାରିବେ । ଯାତ୍ରୀ ଏହାର ଡ୍ରମ୍ ଆକୃତି କ୍ୟାବିନର ସାମ୍ନା ଓ ପଛ ଝରକା ଜରିଆରେ ପୃଥିବୀର ୩୬୦ ଡିଗ୍ରୀର ଦୃଶ୍ୟ ଦେଖିପାରିବେ ।

ଜାପାନର ହୋକ୍କାଇଡୋ ସ୍ଥିତ ବେଲୁନ୍ ବନ୍ଦରରୁ ଏହି ଯାତ୍ରା କରି ହେବ । ବାୟୁମଣ୍ଡଳର ୨ୟ ପରସ୍ତ ଷ୍ଟ୍ରାଟୋସ୍ପିୟରରେ ପହଞ୍ଚିବାକୁ ଯାହାକୁ ପ୍ରାୟ ୨ଘଣ୍ଟା ସମୟ ଲାଗିଥାଏ । ଆଉ ଏହା ୧ଘଣ୍ଟା ଧରି ସର୍ବାଧିକ ୨୫ କିମି ଉଚ୍ଚରେ ରହିବ । କହିବାକୁ ଗଲେ ଏହି ନିଆରା ମହାକାଶ ଯାତ୍ରା ମୋଟ୍ ୫ ଘଣ୍ଟାର । ତେବେ ଯାତ୍ରୀମାନେ ବାହ୍ୟ ମହାକାଶରେ ରହିବେ ନାହିଁ । ଜେଟ୍ ଓ ବିମାନ ଉଡାଣ ଉଚ୍ଚତାରୁ ସେମାନେ ଆହୁରି ଉଚ୍ଚରେ ରହିବେ ଏବଂ ମହାକାଶର ସ୍ପଷ୍ଟ ଦୃଶ୍ୟ ଦେଖି ମଜା ନେଇପାରିବେ ।

ଦୀର୍ଘ ଏକ ଦଶନ୍ଧି ଧରି ଏହି କମ୍ପାନୀ ଏହି ବେଲୁନ୍ ଉପରେ କାମ କରୁଆସୁଛି । ଏହି ଯାତ୍ରା ଲୋକଙ୍କ ପାଇଁ ସୁରକ୍ଷିତ ଓ ବ୍ୟବସାୟିକ ହେବ ବୋଲି କମ୍ପାନୀ ଦାବି କରିଛି । ଚଳିତ ବର୍ଷ ଶେଷ ବେଳକୁ ଏହି ମଜାଦାର ମହାକାଶ ଭ୍ରମଣର ଯୋଜନା ଆରମ୍ଭ ହେବ ବୋଲି କମ୍ପାନି ସ୍ପଷ୍ଟ କରିଛି । ଗତ ମଙ୍ଗଳବାର ଏଥିପାଇଁ ଆବେଦନ ମଧ୍ୟ ଆରମ୍ଭ ହୋଇଯାଇଛି ଯାହା ଅଗଷ୍ଟ ମାସ ଶେଷ ପର୍ଯ୍ୟନ୍ତ ଜାରି ରହିବ । ଏଥିରେ ଚୟନ ହୋଇଥିବା ପ୍ରଥମ ୫ ଜଣ ଯାତ୍ରୀଙ୍କ ନାମ ଆସନ୍ତା ଅକ୍ଟୋବର ସୁଦ୍ଧା ଘୋଷଣା କରାଯିବ । ପାଣିପାଗକୁ ଦୃଷ୍ଟିରେ ରଖି ଏ ଉଡାଣ ୧ ସପ୍ତାହର ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।