ଜାପାନ: ଇସ୍ତଫା ଦେଲେ ଜାପାନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ

ଟୋକିଓ: ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ । ଅନେକ ଦିନ ଧରି ଅସୁସ୍ଥ ଥିବା କାରଣରୁ ସେ କୌଣସି ସରକାରୀ କାର୍ଯ୍ୟରେ ଧ୍ୟାନ ଦେଇ ପାରୁନଥିଲେ । ଗତ ସୋମବାର ଦିନ ପ୍ରଧାନମନ୍ତ୍ରୀ ଆବେଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହା ପ୍ରଥମ ଥର ନୁହେଁ ବରଂ ଏହା ପୂର୍ବରୁ ମଧ୍ୟ ଶିଞ୍ଜୋଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ସମ୍ବଦ୍ଧୀୟ ସମସ୍ୟା ଯୋଗୁଁ କ୍ଷମତାରେ ରହିବାକୁ ନେଇ ସାଧାରଣରେ ଆଲୋଚନା ହେଉଥିଲା । ଯାହାପରେ ଶିଞ୍ଜୋଙ୍କ ଦାୟିତ୍ୱଭାର ସମ୍ଭାଳିବାକୁ ନେଇ ଲୋକଙ୍କ ମନରେ ସନ୍ଦେହ ଘନୀଭୂତ ହେଉଥିଲା ।

ଖବର ଅନୁସାରେ ଶିଞ୍ଜୋ ଆବେ ୨୦୧୨ରେ ପୁନର୍ବାର ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଭାର ଗ୍ରହଣ କରିଥିଲେ । ପ୍ରଥମେ ୨୦୦୭ରେ ଶିଞ୍ଜୋ ଆବେଙ୍କୁ ଅଲସରଯୁକ୍ତ କୋଲାଇଟିସ ରୋଗ କାରଣରୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା । ଏହି ରୋଗ କାରଣରୁ ତାଙ୍କୁ ବାରମ୍ବାର ଚେକ ଅପ କରିବାକୁ ପଡ଼ୁଛି ଏବଂ ଏଥିପାଇଁ ସେ ଚିକିତ୍ସାଧୀନ ଅଛନ୍ତି । ହସ୍ପିଟାଲରେ ଭର୍ତ୍ତି ହେବାର ଏକ ସପ୍ତାହ ପୂର୍ବରୁ ଶିଞ୍ଜୋ ଚେକ ଅପ ପାଇଁ ହସ୍ପିଟାଲ ଯାଇଥିଲେ ବୋଲି ଏହାର ସୂଚନା ଦେଇଥିଲେ ଜାପାନ ସରକାରଙ୍କ ମୁଖପାତ୍ର ଯୋଶୀହିଦେ ସୁଗା । ସେହି ସମୟରେ ତାଙ୍କ ମେଡିକଲ ଚେକ ଅପ ପ୍ରାୟ ୭ରୁ ୮ ଘଣ୍ଟା ଧରି ହୋଇଥିଲା । ହସ୍ପିଟାଲରେ ଭର୍ତ୍ତି ହେବାପରେ ତା ପରଦିନ କାମକୁ ଫେରିବେ ବୋଲି କହିଥିଲେ ଶିଞ୍ଜୋ । କିନ୍ତୁ ଦୀର୍ଘ ଦିନ ଧରି ଜାପାନର ସେବା କରି ଆସୁଥିବା ଶିଞ୍ଜୋ ଶେଷରେ ଇସ୍ତଫା ଦେଇଛନ୍ତି ।

Leave a Reply