ପୁଣି ହସ୍ପିଟାଲରେ ଭର୍ତ୍ତି ହେଲେ ଜାପାନ ପ୍ରଧାନମନ୍ତ୍ରୀ

ଟୋକିଓ: ଜାପାନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କୁ ସୋମବାରକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହା ପୂର୍ବରୁ ମଧ୍ୟ ଶିଞ୍ଜୋଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ସମ୍ବଦ୍ଧୀୟ ସମସ୍ୟା ଯୋଗୁଁ କ୍ଷମତାରେ ରହିବାକୁ ନେଇ ସାଧାରଣରେ ଆଲୋଚନା ହେଉଛି । ତେବେ ଶିଞ୍ଜୋଙ୍କ ଦାୟୀତ୍ୱଭାର ସମ୍ଭାଳିବାକୁ ନେଇ ଲୋକଙ୍କ ମନରେ ସନ୍ଦେହ ଘନୀଭୂତ ହେବାରେ ଲାଗିଛି ।

ଖବର ଅନୁସାରେ ଶିଞ୍ଜୋ ଆବେ ୨୦୧୨ରେ ପୁନର୍ବାର ପ୍ରଧାନମନ୍ତ୍ରୀ ଭାବରେ ଦାୟୀତ୍ୱଭାର ଗ୍ରହଣ କରିଥିଲେ । ପ୍ରଥମେ ୨୦୦୭ରେ ଶିଞ୍ଜୋ ଆବେଙ୍କୁ ଅଲସରଯୁକ୍ତ କୋଲାଇଟିସ ରୋଗ କାରଣରୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା । ଏହି ରୋଗ କାରଣରୁ ତାଙ୍କୁ ବାରମ୍ବାର ଚେକ ଅପ କରିବାକୁ ପଡ଼ୁଛି ଏବଂ ଏଥିପାଇଁ ସେ ଚିକିତ୍ସାଧୀନ ଅଛନ୍ତି । ଜାପାନ ସରକାରଙ୍କ ମୁଖପାତ୍ର ଯୋଶୀହିଦେ ସୁଗାଙ୍କ କହିବା ଅନୁସାରେ ପ୍ରଧାନମନ୍ତ୍ରୀ ଆବେ ଏକ ସପ୍ତାହ ପୂର୍ବରୁ ଯାଞ୍ଚ ପାଇଁ ହସ୍ପିଟାଲ ଯାଇଥିଲେ । ସେହି ସମୟରେ ତାଙ୍କ ମେଡିକଲ ଚେକ ଅପ ପ୍ରାୟ ୭ରୁ ୮ ଘଣ୍ଟା ଧରି ହୋଇଥିଲା । ଏବେ ଅଧିକ ଗୁରୁତ୍ୱର ସହିତ ଆବେଙ୍କ ଚିକିତ୍ସା ଚାଲୁଥିବା କହିଛନ୍ତି ଯୋଶୀହିଦେ ।

ହସ୍ପିଟାଲରେ ଭର୍ତ୍ତି ହେବାପରେ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ସୁଦ୍ଧା କାମକୁ ଫେରିଯିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି । ତେବେ ଦୀର୍ଘ ଦିନ ଧରି ଆବେ ଜାପାନର ସେବା କରି ଆସୁଛନ୍ତି ।

Leave a Reply