ଜାପାନରେ କରୋନାର ନୂଆ ଷ୍ଟ୍ରେନ୍ ଚିହ୍ନଟ, ବ୍ରିଟେନ୍ ଷ୍ଟ୍ରେନ୍‌ଠାରୁ ଭିନ୍ନ

ନୂଆଦିଲ୍ଲୀ: ବ୍ରିଟେନରେ ଚିହ୍ନଟ ନୂଆ ଷ୍ଟ୍ରେନ୍ ସାରା ଦେଶରେ ଆତଙ୍କ ଖେଳାଇଥିବା ବେଳେ ଏବେ ଜାପାନରେ କରୋନାର ଆଉ ଏକ ନୂଆ ଷ୍ଟ୍ରେନ୍ ଚିହ୍ନଟ ହୋଇଛି । ବ୍ରିଟେନ୍ ଓ ସାଉଥ୍‌ ଆଫ୍ରିକାରୁ ଚିହ୍ନଟ ନୂଆ ଷ୍ଟ୍ରେନ୍‌ଠାରୁ ଏହା ଭିନ୍ନ ବୋଲି ସୂଚନା ମିଳିଛି|

ବ୍ରାଜିଲରୁ ଜାପାନ ପହଞ୍ଚିଥିବା ଜଣେ ଯାତ୍ରୀଙ୍କ ଶରୀରରେ ଏହି ଭୂତାଣୁ ଚିହ୍ନଟ ହୋଇଛି | ଚିହ୍ନଟ ନୂଆ ଭୂତାଣୁ ସମ୍ପର୍କରେ ଅଧିକ ତଥ୍ୟ ପାଇ ବୈଜ୍ଞାନିକ ମାନେ ଗବେଷଣା ଆରମ୍ଭ କରି ଦେଇଛନ୍ତି | ନିକଟରେ ବ୍ରାଜିଲରୁ ଫେରିଥିବା ଯାତ୍ରୀଙ୍କ ଦେହରେ ଏହି ନୂଆ ଭୂତାଣୁ ଚିହ୍ନଟ ହୋଇଛି ବୋଲି ଜାପାନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି |

ଏ ନେଇ ଜାପାନ ସରକାର ବ୍ରାଜିଲକୁ ସୂଚିତ କରାଇଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ସୂଚନା ଦେଇଛନ୍ତି | ଏହି ନୂଆ ଷ୍ଟ୍ରେନ୍ ବ୍ରିଟେନ୍ ଷ୍ଟ୍ରେନ୍ ଭଳି ଅଧିକ ସଂକ୍ରାମକ ହୋଇପାରେ ବୋଲି ଆଶଙ୍କା କରାଯାଉଛି |

ଗତ ୨ ତାରିଖରେ ବ୍ରାଜିଲରୁ ଆସିଥିବା ବିମାନ ଟୋକିୟୋ ଏୟାରପୋର୍ଟରେ ପହଞ୍ଚିବା ପରେ ୪ଜଣ ଯାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ | ଯାହା ପରେ ସେମାନଙ୍କୁ ବିମାନବନ୍ଦରରେ କ୍ୱାରେଣ୍ଟାଇନରେ ରଖଯାଇଥିଲା | ପରବର୍ତ୍ତୀ ସମୟରେ ସେମାନେ କୋଭିଡ୍‌ ପଜିଟିଭ୍ ଚିହ୍ନଟ ହୋଇଥିଲେ |

ତେବେ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଜାପାନରେ ସରକାରଙ୍କ ପକ୍ଷରୁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ଯାହା ଆସନ୍ତା ଫେବୃଆରୀ ୭ ତାରିଖ ଯାଏଁ ଲାଗୁ ରହିବ । ଏଭଳି ସମୟରେ ଜନସାଧାରଣ ପରସ୍ପର ମଧ୍ୟରେ ସାମାଜିକ ଦୂରତା ବଜାୟ ଓ ମାସ୍କ ପରିଧାନ କରିବା ସହ ସଚେତନ ରହିବା ଲାଗି ଜାପାନ ସରକାର ନିବେଦନ କରିଛନ୍ତି ।

Leave a Reply