ଏବେ ଜାପାନରେ ଆଉ ଏକ ସଂକ୍ରମଣ, ଜାଣନ୍ତୁ କେତେ ଭୟଙ୍କର

1 min read

ଟୋକିଓ: ପୂରା ବିଶ୍ୱ ଏବେ କରୋନା ଭାଇରସ ପାଇଁ ଚିନ୍ତାରେ ରହିଥିବା ବେଳେ ବାର୍ଡ ଫ୍ଲୁ ଏବେ ନିଦ ହଜାଇଛି । ବାର୍ଡ ଫ୍ଲୁରେ ଅସ୍ତବ୍ୟସ୍ତ ହୋଇପଡ଼ିଲାଣି ଜାପାନ । ଏନେଇ ମଙ୍ଗଳବାର ଦିନ ଜାପାନର କୃଷି ମନ୍ତ୍ରଣାଳୟ କହିଛି ଯେ, ଦେଶର କୁକୁଡ଼ା ଚାଷରେ ସଂକ୍ରମଣ ଆରମ୍ଭ ହୋଇଛି ଯାହାକୁ ଚାରି ବର୍ଷ ମଧ୍ୟରେ ସବୁଠାରୁ ଭୟଙ୍କର ମହାମାରୀ ବୋଲି କୁହାଯାଇଛି ।

ମଣିଷ ସଂକ୍ରମିତ ହେବାର ଭୟ ନାହିଁ

କୃଷି ମନ୍ତ୍ରଣାଳୟ ଏହାର ୱେବସାଇଟରେ ରିପୋର୍ଟ ଦର୍ଶାଇଛି ଯେ, ଦକ୍ଷିଣ-ପଶ୍ଚିମ ଜାପାନର ହନସୁ ଦ୍ୱୀପରେ ଥିବା ମିୟାଜାକି ପ୍ରଦେଶର ହ୍ୟୁଗା ସହରର ଏକ କୁକୁଡ଼ା ଫାର୍ମରେ ‘ବାର୍ଡ ଫ୍ଲୁ’ ଆବିଷ୍କୃତ ହୋଇଛି । ମନ୍ତ୍ରଣାଳୟ କହିଛି ଯେ ମଣିଷମାନେ କୁକୁଡ଼ା କିମ୍ବା ଅଣ୍ଡା ଖାଇ ବାର୍ଡ  ଫ୍ଲୁରେ ସଂକ୍ରମିତ ହେବେ ନାହିଁ ।

ବାର୍ଡ ଫ୍ଲୁର ଆରମ୍ଭ

୨୦୧୬ ମସିହାରୁ ଜାପାନରେ ବାର୍ଡ ଫ୍ଲୁର ସବୁଠାରୁ ଖରାପ ସମୟ ଗତ ମାସରେ କାଇଶୁ ଦ୍ୱୀପ ନିକଟରେ ଥିବା ଶିକୋକୁ ଦ୍ୱୀପପୁଞ୍ଜରୁ ଆରମ୍ଭ ହୋଇଥିଲା । ମିୟାଜାକି ପ୍ରଦେଶର କୁକୁଡ଼ା ଫାର୍ମରେ ୪୦,୦୦୦ କୁକୁଡ଼ାଙ୍କୁ ନଷ୍ଟ କରାଯିବା ସହ ପୋତି ଦିଆଯିବା ନେଇ କୁହାଯାଇଛି । ଏହାସହ କୁକୁଡ଼ା ଚାଷର ତିନି କିଲୋମିଟର ମଧ୍ୟରେ କୁକୁଡ଼ା କାରବାର ଉପରେ ଏକ ପ୍ରତିବନ୍ଧକ ଲାଗୁ କରାଯିବ ।

୨୦୧୮ରେ ବ୍ୟାପିଥିଲା ରୋଗ

ତେବେ ଜାପାନ ସରକାରଙ୍କ ଏହି ନୂଆ ନିୟମ କାରଣରୁ ୧୮ ଲକ୍ଷରୁ ଅଧିକ କୁକୁଡ଼ା ମାରିଦିଆଯିବ । ସେହିପରି ୨୦୧୮ରେ ଜାପାନରେ ମଧ୍ୟ ବାର୍ଡ ଫ୍ଲୁ ମହାମାରୀ ହୋଇଥିଲା। ଏହା କାଗାୱା ପ୍ରଦେଶରୁ ଆରମ୍ଭ ହୋଇଥିଲା । ସେହିବର୍ଷ ୯୧ହଜାର କୁକୁଡ଼ା ମାରିଦିଆଯାଇଥିଲା ।

୨୦୧୬ ରୁ ୨୦୧୭ ମଧ୍ୟରେ ୧୬ ଲକ୍ଷ କୁକୁଡ଼ାଙ୍କୁ ମାରିଦିଆଯାଇଥିଲା

ଜାପାନରେ ବାର୍ଡ ଫ୍ଲୁର ସବୁଠାରୁ ଅଧିକ ପ୍ରଭାବ ନଭେମ୍ବର ୨୦୧୬ ରୁ ମାର୍ଚ୍ଚ ୨୦୧୭ ମଧ୍ୟରେ ପଡ଼ିଥିଲା । ସେହି ସମୟରେ ୧୬ଲକ୍ଷ କୁକୁଡ଼ାଙ୍କୁ ମରାଯାଇଥିଲା । ଏହି ସମସ୍ତ କୁକୁଡ଼ାମାନେ ବାର୍ଡ ଫ୍ଲୁର H5N6 ଷ୍ଟ୍ରେନ୍ରେ ଆକ୍ରାନ୍ତ ହୋଇଥିଲେ ।

Leave a Reply