ଜାନୁଆରୀରେ ୧୧୧ ହତ୍ୟା, ୨୦ ଡକାୟତି ଏବଂ ଶହେରୁ ଅଧିକ ଦଙ୍ଗା

ଭୁବନେଶ୍ବର ; ରାଜ୍ୟରେ ବିଗିଡିଛି ଆଇନଶୃଙ୍ଖଳା ବ୍ୟବସ୍ଥା, ବଢିଚାଲିଛି ଅପରାଧ ସଂଖ୍ୟା । ଜାନୁଆରୀ ମାସରେ ରେକର୍ଡ ହୋଇଛି ୧୧୧ ହତ୍ୟା ମାମଲା। ସେହିପରି ୨୦ ଡକାୟତି, ୧୫୦୯ ଚୋରି, ୧୦୧ ଦଙ୍ଗା, ୧୯୪ ସାଇବର ଅପରାଧ, ୬୫୫ ଅସଦାଚରଣ, ୭୯ ଯୌନ ନିର୍ଯାତନା, ୧୪୯ ସାର୍ବସାଧାରଣରେ ମହିଳାଙ୍କୁ ଅସଦାଚରଣ, ୧୧ ଅଶ୍ଳୀଳ ଭିଡିଓ ଉତ୍ତୋଳନ ଓ ୩୧ଟି ମହିଳାଙ୍କୁ ହଇରାଣ କରିବା ମାମଲା ରୁଜୁ ହୋଇଛି। ସେହିପରି ୨୦୨୪ରେ ୧୨୫୮ ହତ୍ୟା, ୩୫୬ ଡକାୟତି, ୧୭ହଜାର ୮୦୫ ଚୋରି, ୧୪୭୧ ଦଙ୍ଗା, ୨୫୦୧ ସାଇବର ଅପରାଧ, ୭୨୯୯ ଅସଦାଚରଣ, ୧୦୮୨ଯୌନ ନିର୍ଯ୍ୟାତନା, ୧୮୩୯ ସାର୍ବସାଧାରଣରେ ମହିଳାଙ୍କୁ ଅସଦାଚରଣ, ୧୧୧ ଅଶ୍ଳୀଳ ଭିଡିଓ ଉତ୍ତୋଳନ ଓ ୩୬୫ ଟି ମହିଳାଙ୍କୁ ହଇରାଣ କରିବା ମାମଲା ରୁଜୁ ହୋଇଛି। ବିଜେଡି ବିଧାୟକ ରମେଶ ବେହେରାଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ ରଖିଛନ୍ତି ଲିଖିତ ଉତ୍ତର। ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ବିଜେପି ନେତୃତ୍ଵାଧୀନ ସରକାରକୁ କଡ଼ା ସମାଲୋଚନା କରିଛନ୍ତି ବିଧାୟକ ରମେଶ ବେହେରା। ସରକାର ଦେଇଥିବା ଉତ୍ତରରେ ଅଧା ସତ ଓ ଅଧା ମିଛ ରହିଛି ବୋଲି କହିଛନ୍ତି। ୨୦୨୫ ଜାନୁଆରୀ ମାସର ତଥ୍ୟ ଯାହା ଦେଇଛନ୍ତି ନୂଆ ସରକାର ଆସିବା ପରେ ତାହା ସ୍ପଷ୍ଟ କରୁଛି ଯେ ରାଜ୍ୟରେ ଆଇନଶୃଙ୍ଖଳା ବିଗିଡିଯାଇଛି। ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିବାରେ ସରକାର ବିଫଳ ହୋଇଛନ୍ତି। ଭାଇଚାରାର ରାଜ୍ୟ କୁହାଉଥିବା ଓଡ଼ିଶା ଏଥିଲାଗି ନିନ୍ଦିତ ହେବ ବୋଲି ସେ କହିଛନ୍ତି। ସେପଟେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦୋସ ମଧ୍ୟ ଆଇନଶୃଙ୍ଖଳା ସ୍ଥିତି ନେଇ ସରକାରକୁ ସମାଲୋଚନା କରିଛନ୍ତି। ପୋଲିସ ଉପରେ ସରକାରଙ୍କ ନିୟନ୍ତ୍ରଣ ନାହିଁ। ପୋଲିସକୁ ନିର୍ଦେଶ କି କୌଣସି ଚାପ ପକାଉନାହାନ୍ତି। ଅପରାଧ ନିୟନ୍ତ୍ରଣ ନହେଲେ ସରକାର ଉପରୁ ଲୋକଙ୍କ ଭରସା ତୁଟିଯିବ ବୋଲି କହିଛନ୍ତି ସୋଫିଆ।