ମୃତ୍ୟୁକୁ ଠିକ୍ ୨ ମାସ, ଘୋଷଣା ହେଲା ଉପ-ନିର୍ବାଚନ ତାରିଖ

1 min read

ନନ୍ଦିଘୋଷ ବ୍ୟୁରୋ: ଜାନୁଆରୀ ୨୯  । ସେଦିନ ଥିଲା ନବ ଦାସଙ୍କ ପାଇଁ କାଳ ସମୟ  । ଲୋକଙ୍କ ସହ ମିଶୁଥିଲେ ଲୋକଙ୍କ ନେତା  । କିନ୍ତୁ ନିଜ ରକ୍ଷାକାରୀ ସାଜିଲା ହତ୍ୟାକାରୀ  । ଆଉ ଆଜି ସମାନ ତାରିଖ  । ମୃତ୍ୟୁକୁ ବିତିଛି ଠିକ ୨ ମାସ  । ଆଜିର ଦିନରେ ଭାରତୀୟ ନିର୍ବାଚନ କମିଶନ ଘୋଷଣା କରିଛନ୍ତି  ଉପ-ନିର୍ବାଚନ ତାରିଖ  । ମେ ୧୦ରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପଡିବ ଭୋଟ୍  । ମେ ୧୩ରେ ହେହ ଭୋଟ ଗଣତି  । ଏନେଇ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ ରାଜୀବ କୁମାର  ।

ସେପଟେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ସ୍ୱର୍ଗତ ନବଦାସଙ୍କ ଝିଅ ଦିପାଳୀ ଦାସ  । ସେ କହିଛନ୍ତି, ଆଜି ଦିନ ଆମ ପରିବାର ପାଇଁ ସ୍ୱତନ୍ତ୍ର  । ଆଜିର ଦିନରେ ଆଖି ବୁଜିଥିଲେ ପିତା  । ଆଉ ଆଜିର ଦିନରେ ହିଁ ନିର୍ବାଚନ ତାରିଖ ଘୋଷଣା ହୋଇଛି  । ଝାରସୁଗୁଡା ପାଇଁ ସ୍ୱର୍ଗତ ନବ ଦାସଙ୍କ ଅବଦାନ ଥିଲା ଅତୁଳନୀୟ  । ଝାରସୁଗୁଡାବାସୀଙ୍କ ପାଇଁ ଅହରହ ସ୍ୱପ୍ନ ଦେଖୁଥିଲେ, ସାଥିରେ ଥିଲେ  । ତେଣୁ ଆଗାମୀ ଦିନରେ ଯିଏ ବି ଝାରସୁଗୁଡା ପାଇଁ ବିଜୁ ଜନତା ଦଳ ରତଫରୁ ପ୍ରାର୍ଥୀ ହେବ, ସେ କାମ କରିବ  ।

ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକେଟ ନିଷ୍ପତ୍ତି ନେବେ  । ଆମେ ଲୋକଙ୍କ ସହ ଅଛୁ, ଲୋକଙ୍କ ପାଇଁ କାମ କରିବୁ  । ଯାହାକୁ ଦଳ ବିଚାର କରିବୁ ସେ ବିଜୟୀ ହେବା ନିଶ୍ଚିତ  । ଝାରସୁଗୁଡାବାସୀଙ୍କ ଭଲପାଇବା, ମୁଖ୍ୟମନ୍ତ୍ରୀଙ୍କ ଆଶିର୍ବାଦ ତାଙ୍କ ପରିବାର ଉପରେ ଥିବା କହିଛନ୍ତି ଦିପାଳୀ ଦାସ  । ସେପଟେ ନିର୍ବାଚନ ତାରିଖ ଘୋଷଣା ପରେ ସରଗରମ ହୋଇଛି ନିର୍ବାଚନ ମଣ୍ଡଳୀ  । ନିର୍ବାଚନକୁ ନେଇ ଲୋକଙ୍କ ମଧ୍ୟରେ ଦେଖାଦେଇଛି ଉତ୍କଣ୍ଠା  ।