ରାଜ୍ୟ ପାଇବ ନୂଆ ସରକାର; ଶପଥ ଗ୍ରହଣ ପାଇଁ ସଜେଇ ହେଲାଣି ଜନତା ମଇଦାନ

ଭୁବନେଶ୍ବର: ରାଜ୍ଯରେ ବିଜେପି ସରକାର ଗଠନ ଲାଗି ପ୍ରସ୍ତୁତି ଆରମ୍ଭ । ଜୁନ ୧୦ ତାରିଖରେ ଶପଥ ଗ୍ରହଣ ଉତ୍ସବ ଲାଗି ସଜେଇ ହେଲାଣି ଜନତା ମଇଦାନ । ଉତ୍ସବରେ ସାମିଲ ହେବେ ପ୍ରଧାନମନ୍ତ୍ରୀଙ୍କ ସମେତ ବିଜେପି ଶାସିତ ରାଜ୍ଯର ମୁଖ୍ଯମନ୍ତ୍ରୀ । ସେପଟେ ନେତା ନିର୍ବାଚନ ଲାଗି ଆସନ୍ତାକାଲି ବସିବ ବିଧାୟକ ଦଳ ବୈଠକ ।

ଓଡ଼ିଶାରେ ପ୍ରଥମ ଥର ସରକାର ଗଠନ କରିବ ବିଜେପି । ଜନତା ମଇଦାନରେ ହେବ ଶପଥ ଗ୍ରହଣ ଉତ୍ସବ । ଉପସ୍ଥିତ ରହିବେ ପ୍ରାୟ ୩୦ ହଜାର ଲୋକ । ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସମେତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ରହିବେ । ହେଲେ କିଏ ହେବେ ନୂଆ ମୁଖ୍ୟମନ୍ତ୍ରୀ ? କାହା ମୁଣ୍ଡରେ ବିଜେପି ଢାଳିବ ସୁନା କଳସ ? କେଉଁ ଆଧାରରେ ହେବ ମୁଖ୍ୟମନ୍ତ୍ରୀ ଚୟନ ? ଏସବୁ ପ୍ରଶ୍ନର ଉତ୍ତର ଓଡ଼ିଶାରେ ନୁହେଁ ଦିଲ୍ଲୀରେ ସଂସଦୀୟ ବୋର୍ଡ଼ ବୈଠକରେ ସ୍ଥିର ହେବ । ଆଗାମୀ ୨୫ ବର୍ଷ ମଧ୍ୟରେ ଓଡ଼ିଶାକୁ ଦେଶର ଏକ ନମ୍ବର ରାଜ୍ୟ କରାଯିବ ବୋଲି କହିଛନ୍ତି ବିଜେପି ରାଜ୍ଯ ସଭାପତି ମନମୋହନ ସାମଲ ।

ରାଜ୍ଯରେ କିଏ ମୁଖ୍ଯମନ୍ତ୍ରୀ ହେବେ ସେହି ନିଷ୍ପତ୍ତି ନେବେ କେନ୍ଦ୍ରୀୟ ହାଇକମାଣ୍ତ । ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବା ହେଉ କି ତଦନ୍ତ କମିଶନ ରିପୋର୍ଟ ପ୍ରକାଶ । ଚିଟଫଣ୍ଡ ଅର୍ଥ ଫେରସ୍ତ ହେଉ କି ସାମ୍ବାଦିକଙ୍କୁ ସଚିବାଳୟ ପ୍ରବେଶ କଟକଣା ହଟିବା ପ୍ରସଙ୍ଗ । ଏଭଳି ଅନେକ ପ୍ରତିଶ୍ରୁତି ଦେଇଛି ବିଜେପି । ଏହାସହ ଚାଷୀ, ଯୁବ, ମହିଳା, ଶ୍ରମିକ ଓ ଛାତ୍ରଛାତ୍ରୀଙ୍କ ପାଇଁ ଯେଉଁ ପ୍ରତିଶ୍ରୁତି ବିଜେପି ଦେଇଥିଲା, ତାହା କେବେ ପୂରଣ ହେବ, ତା’ ଉପରେ ରହିଛି ରାଜ୍ୟବାସୀଙ୍କ ନଜର ।

ଜଣେ ଅନୁଭବୀ ଓଡ଼ିଆ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ ବୋଲି କହୁଛି ବିଜେପି । କେଉଁ ଆଧାରରେ ଚୟନ ହେବେ ମୁଖ୍ଯମନ୍ତ୍ରୀ ତାହାକୁ ନେଇ ଜାରି ରହିଛି ସସପେନ୍ସ ।