ଜନଜାତିଙ୍କ ପାଖରେ ପହଞ୍ଚୁନି ପ୍ରଶାସନ, ଜନଜାତିଙ୍କୁ ପ୍ରତିନିଧିତ୍ବ କରୁଥିବା ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟରେ ଏ କି ଦଶା ?

1 min read

ନନ୍ଦିଘୋଷ ବ୍ୟୁରୋ: ବନ୍ଦ ହେଲାଣି ଜନଜାତି ବୁଣାକାରଙ୍କ ଜୀବିକା । ଆଉ ଦେଖିବାକୁ ମିଳୁନି ଡଙ୍ଗରିଆଙ୍କ କପଡ଼ାଗନ୍ଦା ଶାଲ । ନବୀନ ସରକାର ଅମଳରେ ମିଳୁଥିବା ସହାୟତା ଆଉ ମିଳୁନି । ବୁଣାକାର ଏବେ ରୋଜଗାର ପାଇଁ ବାହାର ରାଜ୍ୟକୁ ଗଲେଣି । ଏଭଳି ସ୍ଥିତି ଦେଖିବାକୁ ମିଳିଛି ରାୟଗଡ଼ା ଓ ଗଞ୍ଚାମ ଜିଲ୍ଲାରେ । ଖାଲି ସେତିକି ନୁହେଁ, ଅଭିଯୋଗ ହୋଇଛି ୩ ମାସ ହେଲାଣି ମୋହନ ସରକାର ବନ୍ଦ କରିଦେଇଛନ୍ତି ଆଦିମ ଜନଜାତି ସଶକ୍ତିକରଣ ଓ ଜୀବିକା ଉନ୍ନତିକରଣ କାର୍ଯ୍ୟକ୍ରମ । ଜନଜାତିଙ୍କ ପାଖରେ ପହଞ୍ଚୁନି ପ୍ରଶାସନ । ହେଲେ ବିଭାଗୀୟ ମନ୍ତ୍ରୀଙ୍କ ଉତ୍ତର କିଛି ବି ଯୋଜନା ବନ୍ଦ ହୋଇନି । କଣ ପାଇଁ ଏଭଳି ସ୍ଥିତି ହୋଇଛି ବିଭାଗ ସ୍ତରରେ ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି।

କ୍ଷମତାକୁ ଆସିଲ ରଙ୍ଗ ବଦଳାଇଲ, ଯୋଜନାର ନାମ ବଦଳାଇଲ । କ୍ଷମତାକୁ ଆସୁ ଆସୁ ବନ୍ଦ କଲେ ଜନଜାତିଙ୍କ ଜୀବିକା । ଜନଜାତିଙ୍କୁ ପ୍ରତିନିଧିତ୍ବ କରୁଥିବା ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟରେ ଏ କି ଦଶା ? ସୂତା ମିଳୁନି । ପ୍ରୋତ୍ସାହନ ରାଶି ନାହିଁ । ବନ୍ଦ ହୋଇଛି ଓଡ଼ିଶା ଆଦିମ ଜନଜାତି ସଶକ୍ତିକରଣ ଓ ଜୀବିକା ଉନ୍ନତିକରଣ କାର୍ଯ୍ୟକ୍ରମ-OPELIP । ଏ ହେଉଛି ରାୟଗଡ଼ା ଜିଲ୍ଲାର ଅବସ୍ଥା । ଆଉ ଦେଖିବାକୁ ମିଳୁନି ଡଙ୍ଗରିଆ ପ୍ରସ୍ତୁତ କପଡ଼ାଗନ୍ଦା ଶାଲ । ଏବେ ନବୀନ ଶାସନକୁ ଝୁରୁଛନ୍ତି ଡଙ୍ଗରିଆ ଜନଜାତି । ଆଦିମ ଜନଜାତିଙ୍କ ଜୀବନ ଜୀବିକା ବିକାଶ ପାଇଁ ପୂର୍ବ ସରକାର ୨୦୧୭ ମସିହା ଜୁନରେ ଆରମ୍ଭ କରିଥିଲେ OPELIP କାର୍ଯ୍ୟକ୍ରମ । କିନ୍ତୁ ମୋହନ ସରକାର ଆସିବା ପରଠୁ ଜନଜାତିଙ୍କ ବିକାଶରେ ବି ପୂରାଇଛନ୍ତି କେଁ । ଗଞ୍ଚାମ ଜିଲ୍ଲାରେ ବି ସ୍ଥିତି ସଙ୍ଗୀନ । ବୁଣାକାରଙ୍କୁ ମିଳୁଥିବା ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସହାୟତା ମିଳୁନଥିବାରୁ ସେଠାକାର ହସ୍ତତନ୍ତ ଏବେ ଠପ୍ ହେବାକୁ ବସିଲାଣି । ମାସ କେଇଟା କ୍ଷମତା ଦଖଲ କରୁ କରୁ କ୍ଷମତାସୀନ ବିଜେପି ସରକାର ପୂର୍ବ ସରକାରଙ୍କ ଦ୍ବାରା ପ୍ରଚଳିତ ବୁଣାକାର ସହାୟତା ରାଶି ଓ ଭତ୍ତାରେ ରାଜନୀତି ପୂରାଇଛନ୍ତି । ଆଉ ବୁଣାକାରଙ୍କ ପେଟକୁ ଲାତ ମାରିଛନ୍ତି ବୋଲି ଅଭିଯୋଗ ହୋଇଛି । ଏବେ ତନ୍ତ କାମ ବନ୍ଦ ଯୋଗୁ ଜୀବନ ଜୀବିକା ପାଇଁ ଗଞ୍ଜାମ ଅଞ୍ଚଳର ଭେଣ୍ଡିଆ ଏବେ ବାହାର ରାଜ୍ୟ ମୁହାଁ ହେଲେଣି ।

ରାଜ୍ୟରେ ଜନଜାତିଙ୍କ ବିକାଶକୁ ନୂଆ ଦିଗନ୍ତ ଦିଆଯିବ । ଏପରି ନାରା ଦେଇ କ୍ଷମତାକୁ ଆସିଛି ଡବଲ ଇଞ୍ଜିନ ସରକାର । ହେଲେ ବାସ୍ତବ ସ୍ଥିତି ଓଲଟା । ଏବେ ବୁଣାକାର ଓ ଜନଜାତିଙ୍କ ବାସ୍ତବ ସ୍ଥିତି ସାମନାକୁ ଆସିବା ପରେ ହସ୍ତତନ୍ତ, ବୟନ ଓ ହସ୍ତକାରିଗରୀ ବିଭାଗ ମନ୍ତ୍ରୀ ରଖିଛନ୍ତି ଏମିତି ଉତ୍ତର । କହିଛନ୍ତି, ପୂର୍ବ ସରକାରଙ୍କ କୌଣସି ଯୋଜନା ବନ୍ଦ ହୋଇନି । କଣ ପାଇଁ ପ୍ରଶାସନ ଜନଜାତିଙ୍କ ପାଖରେ ପହଞ୍ଚିନି । ସେ ନେଇ ଅନୁଧ୍ୟାନ କରାଯିବ ।…

ବିଡ଼ମ୍ବନାର ବିଷୟ । ପୂର୍ବ ସରକାର ଅମଳରେ ଜନଜାତିଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ପାଇଁ ମାଳ ମାଳ ଯୋଜନା ପ୍ରସ୍ତୁତ ହୋଇଥିଲା । ସ୍ବତନ୍ତ୍ର ବିକାଶ ପରିଷଦଠୁ ଆରମ୍ଭ କରି ବହୁବିଧ ଜୀବିକା ଉପାର୍ଜନ ପାଇଁ ସ୍ବତନ୍ତ୍ର ଆର୍ଥିକ ସହାୟତାର ବ୍ୟବସ୍ଥା କରାଯାଇଥିଲା । ବାସ୍ତବରେ ଜନଜାତିଙ୍କ ଦଶାଦିଶା ଏ ସରକାର ଅମଳରେ କଣ ହେବ ତାକୁ ନେଇ ବୁଦ୍ଧିଜୀବୀ ସନ୍ଦିହାନ ।