ବ୍ୟାଙ୍କ ଶାଖା ପରିଚାଳକଙ୍କ ଆକାଉଣ୍ଟରୁ ୧୨ ଲକ୍ଷ ଗାଏବ କଲେ ଜାମତାରା ଠକ

1 min read

ଅନୁଗୁଳ: ଜିଲ୍ଲା ପୋଲିସକୁ ବଡ଼ ସଫଳତା । ବନ୍ଧା ହେଲା ସାଇବର ଠକ । ଅନୁଗୁଳ ଜିଲ୍ଲା ବନ୍ଧନ ବ୍ୟାଙ୍କର ଶାଖା ପରିଚାଳକଙ୍କ ଆକାଉଣ୍ଟରୁ ଲକ୍ଷଲକ୍ଷ ଟଙ୍କା ଠକେଇ ମାମଲାରେ ପୋଲିସ ଜାମତାରା ସାଇବର ଅପରାଧୀଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଅନୁଗୁଳ ବନ୍ଧନ ବ୍ୟାଙ୍କର ଶାଖା ପରିଚାଳକ ମାନସ ରଞ୍ଜନ ଖୁଣ୍ଟିଆଙ୍କ ଆକାଉଣ୍ଟରେ ୧୨ ଲକ୍ଷ ଟଙ୍କା ଥିଲା ।

ହଠାତ୍ ତାଙ୍କୁ ଏକ ଅଜଣା ମୋବାଇଲରୁ ଫୋନ୍ କଲ୍ ଆସିଥିଲା। ଫୋନ୍ କରିଥିବା ବ୍ୟକ୍ତି ନିଜକୁ ଏୟାରଟେଲ୍ ଅଫିସର ବୋଲି ପରିଚୟ ଦେଇ ଏୟାରଟେଲ୍ ସିମକୁ ୪-ଜିରୁ ୫-ଜିକୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି କି ବୋଲି ପଚାରିଥିଲେ । ମାନସ ହଁ କହିଥିଲେ । ପରେ ମାନସଙ୍କ ମୋବାଇଲକୁ ଏକ ଲିଙ୍କ୍ ପଠାଇଥିଲା ଠକ। ଲିଙ୍କକୁ ମାନସ ମୋବାଇଲ୍ ନମ୍ବରରେ ସେୟାର କରିଥିଲେ ।

ଏହା ପରଠାରୁ ତାଙ୍କ ଆକାଉଣ୍ଟରୁ ଟଙ୍କା କଟିବା ଆରମ୍ଭ ହୋଇଥିଲା । ଆଇଏମ୍ପିଏସରେ ୩ ଥରରେ ମାନସଙ୍କ ଆକାଉଣ୍ଟରୁ ମୋଟ୍ ୪ ଲକ୍ଷ ଟଙ୍କା, ଆର୍ଟିଜିଏସରେ ୨ ଲକ୍ଷ ଓ ଏନ୍ଇଏଫଟିରେ ୧ ଲକ୍ଷ ଟଙ୍କା କଟିଥିଲା । ଏନେଇ ମାନସ ସାଇବର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରିବା ସହ ଜମତାରାରେ ପହଞ୍ଚିଥିଲା । ଆଉ ସାଇବର ଅପରାଧୀକୁ ଧରିବାରେ ସଫଳ ହୋଇଛି ।