ଜମ୍ମୁ ଓ କାଶ୍ମୀରରେ ୫୮ ଟ୍ରେନ୍ ବାତିଲ, ଫସିଛନ୍ତି ହଜାର ହଜାର ଲୋକ

ନନ୍ଦିଘୋଷ ବ୍ୟୁରୋ : ଜମ୍ମୁ ଓ କାଶ୍ମୀରେ ବର୍ଷା ଓ ଭୂସ୍ଖଳନ ତାଣ୍ଡବ । ଫଳରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ରେଳ ବିଭାଗ ୫୮ଟି ଟ୍ରେନକୁ ବାତିଲ କରିଛି । ଏଥିରେ ଉତ୍ତର ପ୍ରଦେଶ, ଦିଳ୍ଲୀ ଓ ଅନ୍ୟାନ୍ୟ ରାଜ୍ୟକୁ ଯାତାୟତ କରୁଥିବା ଟ୍ରେନ୍ ମଧ୍ୟ ସାମିଲ ଅଛି । ଟ୍ରେନ ବାତିଲ ହେବା ପରେ ଜମ୍ମୁ ଓ କାଶ୍ମୀର ରେଳ ଷ୍ଟେସନରେ ହଜାର ହଜାର ଲୋକ ଫସି ରହିଛନ୍ତି । ରେଳ ବିଭାଗ ଜମ୍ମୁ, ପଠାନକୋଟ ଓ ଦିଲ୍ଲୀ ଷ୍ଟେସନରେ ହେଲ୍ପ ଲାଇନ ଜାରି କରିଛନ୍ତି । ଅନ୍ୟପଟେ ବିମାନ ଯାତ୍ରା ମହଙ୍ଗା ହୋଇଯାଇଛି ।
ଜମ୍ମକୁ ଯାତାୟତ କରୁଥିବା ଅନେକ ପ୍ରମୁଖ ଟ୍ରେନ ବାତିଲ କରାଯାଇଛି । କିଛି ଟ୍ରେନକୁ ୨୭ ଓ ୨୮ ତାରିଖ ପାଇଁ ରଦ୍ଦ କରାଯାଇଛି । ଆଉ କିଛି ଟ୍ରେନ ଶୁକ୍ରବାର ବି ଚଳାଚଳ କରିବା ସମ୍ଭବ ନାହିଁ । ଅନେକ ଟ୍ରେନ ଅଧା ବାଟରେ ଅଟକି ରହିଛି ।
ଗତ ସପ୍ତାହରେ ୧୮ ହଜାର ୭୦୦ ଯାତ୍ରୀ ଟ୍ରେନ ମାଧ୍ୟମରେ ଜମ୍ମୁ ପହଞ୍ଚିଥିଲେ । ଏବେ ସେମାନେ ସେଠାରେ ଫସିଯାଇଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ରେଳ ବିଭାଗ ଦିଲ୍ଲୀ ଯାଏଁ ସ୍ବତନ୍ତ୍ର ଟ୍ରେନ ଚଳାଇବାକୁ ଯୋଜନା କରୁଛି । ସେଠାରୁ ଯାତ୍ରୀମାନେ ଅନ୍ୟ ସ୍ଥାନକୁ ଯାଇପାରିବେ ।
ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରେଳ ବିଭାଗ ଏପରି ନିଷ୍ପତ୍ତି ନେଇଛି । ରେଳ ବିଭାଗ ତରଫରୁ ହେଲ୍ପ ଲାଇନ ଜାରି କହିଛି । ଜମ୍ମୁ ରେଳ ଷ୍ଟେସନ ପାଇଁ ୭୮୮୮୩୯୧୧ ଓ ଦିଲ୍ଲର ରେଳ ଷ୍ଟେସନ ପାଇଁ ୯୭୧୭୬୩୮୭୭୫ ନମ୍ବର ଜାରି କରିଛି । ଅଧିକ ଜାଣିବା ପାଇଁ ଯାତ୍ରୀମାନେ ରେଲଓ୍ବେ ଓ୍ବେବସାଇଟ ମଧ୍ୟ ବ୍ୟବହାର କରିପାରିବେ ।
ଟ୍ରେନ ବାତିଲ ହେବା ପରେ ବିମାନ ଭଡା ବୃଦ୍ଧି ପାଇଛି । ଜମ୍ମୁ ଠାରୁ ଲକ୍ଷ୍ନୌ ବିମାନ ଭଡା ୫ ଭିତରେ ରହିଥିବା ବେଳେ ଏବେ ଏହା ୨୪ ହଜାରକୁ ବୃଦ୍ଧି ପାଇଛି । ଜମ୍ମୁ ଓ କଟରାରେ ଫସିଥିବା ଯାତ୍ରୀ କହିଛନ୍ତି କି, ସେମାନେ ବିମାନ ଭଡା ବୃଦ୍ଧିକୁ ନେଇ ସମସ୍ୟାରେ ପଡିଛନ୍ତି । ବୈଷ୍ଣୋଦେବୀ ଓ ଅମରନାଥରେ ଫସିଥିବା ପର୍ଯ୍ୟଟକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ପ୍ରଶାସନ ରେସକ୍ୟୁ ଅପରେସନ ଜାରି ରଖିଛନ୍ତି । ଖରାବ ପାଗ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଛି ।