ଜାମ୍ମୁ ଓ କାଶ୍ମୀରରେ ଆତଙ୍କବାଦ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

ନନ୍ଦିଘୋଷ ବ୍ୟୁରୋ: ଜାମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ଯକଳାପ ନେଇ ଉଚ୍ଚସ୍ତରୀୟ ସମୀକ୍ଷା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ଯକ୍ଷତାରେ ନୂଆଦିଲ୍ଲୀରେ ବୈଠକ। ଗତକିଛି ଦିନ ଧରି ଜାମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀ ହମଲା ସଂଖ୍ଯା ବଢୁଥିବାବେଳେ ତାହା ଥମିବାର ନାଁ ନେଉନାହିଁ। ଆସନ୍ତା ଜୁନ ୨୯ରୁ ବାର୍ଷିକ ଅମରନାଥ ଯାତ୍ରା ଆରମ୍ଭ ହେବାକୁ ଯାଉଥିବାବେଳେ ଜାମ୍ମୁ କାଶ୍ମୀରର ସୁରକ୍ଷା ନେଇ ବୈଠକରେ ସମୀକ୍ଷା କରାଯାଇଛି। ଆତଙ୍କବାଦକୁ ଦମନ ଲାଗି ଗାଇଡଲାଇନ ପ୍ରସ୍ତୁତ କରାଯିବ ବୋଲି ସୂଚନା ମିଳିଛି। ବୈଠକରେ ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲ, ଲେଫଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା, ସେନାମୁଖ୍ଯ ଜେନେରାଲ ମନୋଜ ପାଣ୍ଡେ, ନୂଆସେନାମୁଖ୍ଯ ହେବାକୁ ଯାଉଥିବା ଉପେନ୍ଦ୍ର ଦ୍ବିବେଦୀ, କେନ୍ଦ୍ର ଗୃହସଚିବ ଅଜୟ ଭାଲ୍ଲା, ଗୁଇନ୍ଦା ନିର୍ଦ୍ଦେଶକ ତପନ ଡେକା, ସିଆରପିଏଫ ଡିଜି ଅନୀଶ ଦୟାଲ ସିଂ, ଜାମ୍ମୁ ଓ କାଶ୍ମୀର ପୋଲିସ ମହାନିର୍ଦେଶକ ଆର. ଆର. ସ୍ବାଇଁ ତଥା ତୁଙ୍ଗ ନିରାପତ୍ତା ଅଧିକାରୀ ବୈଠକରେ ସାମିଲ ହୋଇଛନ୍ତି। ଆନ୍ତର୍ଜାତିକ ସୀମା ଓ ନିୟନ୍ତ୍ରଣ ରେଖା ନିକଟରେ ସୁରକ୍ଷା ବ୍ଯବସ୍ଥା କଡାକଡି କରିବାକୁ ବୈଠକରେ ଆଲୋଚନା ହୋଇଛି। ଗତ କିଛି ଦିନ ମଧ୍ଯରେ ରିଆସି, କାଠୁଆ, ଡୋଡା ଜିଲ୍ଲାରେ ଆତଙ୍କୀ କାର୍ଯ୍ଯକଳାପ ବୃଦ୍ଧି ପାଇଛି ଏବଂ କେତେକ ଯବାନ ପ୍ରାଣ ହରାଇଥିବାବେଳେ ଅନେକେ ଆହତ ହୋଇଛନ୍ତି। ଏନକାଉଣ୍ଟରରେ ଦୁଇ ଜଣ ସନ୍ଦିଗ୍ଧ ପାକ୍ ଆତଙ୍କବାଦୀ ବି ପ୍ରାଣ ହରାଇଥିବାବେଳେ ବିପୁଳ ଗୋଳାବାରୁଦ ଜବତ ହୋଇଛି।