୩୬ ଘଣ୍ଟାରେ ୩ ଏନକାଉଣ୍ଟର, ୫ ଆତଙ୍କବାଦୀ ନିହତ

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କୁ ମୁଁହତୋଡ ଜବାବ ଦେଉଛନ୍ତି ସୁରକ୍ଷାକର୍ମୀ । ଗତ ୩୬ ଘଣ୍ଟା ମଧ୍ୟରେ ଜାମ୍ମୁ କାଶ୍ମୀରରେ ୩ଟି ବଡ଼ ଏନକାଉଣ୍ଟର ହୋଇଛି । ଯେଉଁଥିରେ ୫ ଆତଙ୍କବାଦୀ ମୃତ୍ୟୁବରଣ କରିଛନ୍ତି । ଶନିବାର ଅବନ୍ତିପୋରାର ତ୍ରାଲ ଅଞ୍ଚଳରେ ଦୁଇ ଜଣ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି ଭାରତୀୟ ସେନା । ଏହା ପୂର୍ବରୁ ଶନିବାର ସୋପିଆନାରେ ମଧ୍ୟ ଦୁଇ ଆତଙ୍କବାଦୀଙ୍କୁ ନିହତ କରିଥିଲେ ସୁରକ୍ଷାକର୍ମୀ ।

ଗତ କିଛି ଦିନ ହେବ ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରୁଛି ଭାରତୀୟ ସେନା । ବିଶେଷ କରି ଶ୍ରୀନଗର ଇଦଗାହ ଅଞ୍ଚଳରେ ଜଣେ ସାଧାରଣ ନାଗରିକଙ୍କୁ ଆତଙ୍କବାଦୀ ଗୁଳି କରି ହତ୍ୟା କରିବା ପରେ ଭାରତୀୟ ସେନା ଜାମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ ଏନକାଉଣ୍ଟର କରିଛି । ଏହି ଘଟଣା ପରଠାରୁ ଏପର୍ଯ୍ୟନ୍ତ ୫ ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟରେ ନିହତ କରିସାରିଲାଣି ଭାରତୀୟ ସେନା । ଏବେ ବି କିଛି ସ୍ଥାନରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।

ଅନ୍ୟପକ୍ଷରେ ଏହି ଏନକାଉଣ୍ଟର ବ୍ୟତୀତ ସୁରକ୍ଷକର୍ମୀଙ୍କୁ ମିଳିଛି ଆଉ ଏକ ବଡ଼ ସଫଳତା । ଶ୍ରୀନଗରର ଇଦଗାହରେ ଜଣେ ନାଗିରକ ଓ ପୋଲିସ କର୍ମୀଙ୍କୁ ହତ୍ୟାରେ ସାମିଲ ଦି ରେଜିଷ୍ଟାନ୍ସ ଫ୍ରଣ୍ଟର ଦୁଇ ଆତଙ୍କବାଦୀଙ୍କୁ ଗିରଫ କରିଛି ଜାମ୍ମୁ କାଶ୍ମୀର ପୋଲିସ । ସେହି ଦୁଇ ଆତଙ୍କବାଦୀଙ୍କୁ ଅଧିକ ପଚରା ଉଚରା କରି ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଗତିବିଧି ବିଷୟରେ ଅଧିକ ଜାଣିବାକୁ ମିଳିପାରେ ବୋଲି ଆଶା କରାଯାଉଛି ।

Leave a Reply