ପୁଞ୍ଛ ଆକ୍ରମଣକୁ ନେଇ ବଡ଼ ଖୁଲାସା, ୫ ଆତଙ୍କବାଦୀଙ୍କ ମଧ୍ୟରେ ଥିଲେ ୩ ବିଦେଶୀ

1 min read

ଶ୍ରୀନଗର: ଗତକାଲି ଜମ୍ମୁ କାଶ୍ମୀରର ପୁଞ୍ଛ ଜିଲ୍ଲାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୫ ଯବାନ ଶହୀଦ ହୋଇଥିଲେ । ଏକ ଟ୍ରକ୍ ଯୋଗେ ଯିବା ସମୟରେ ସେନା ଗାଡ଼ି ଉପରକୁ ଫାୟାରିଂ ସହ ହ୍ୟାଣ୍ଡ ଗ୍ରେନେଡ ମାଡ଼ କରିଥିଲେ ଆତଙ୍କୀ । ଏହି ଘଟଣା ପରେ ସମ୍ପୂର୍ଣ୍ଣ ଅଞ୍ଚଳକୁ ସିଲ୍ କରାଯିବା ସହ ତଦନ୍ତ ଜୋର ସୋରରେ ଚାଲିଛି । ଏହାରି ମଧ୍ୟରେ ଆକ୍ରମଣକୁ ନେଇ ବଡ଼ ଖୁଲାସା ହୋଇଛି । ଗୁଇନ୍ଦା ସୂତ୍ରଙ୍କ କହିବା ଅନୁଯାୟୀ, ଏହି ଆକ୍ରମଣରେ ୫ ଆତଙ୍କବାଦୀ ସାମିଲ ଥିଲେ । ଏମାନଙ୍କ ମଧ୍ୟରେ ୩ ଜଣ ବିଦେଶୀ ଥିବା ବେଳେ ଦୁଇଜଣ ସ୍ଥାନୀୟ ଅଞ୍ଚଳର ଥିଲେ ।

ଏହା ମଧ୍ୟ ସାମ୍ନାକୁ ଆସିଛି ଯେ ଆକ୍ରମଣର ଉଦ୍ଦେଶ୍ୟ ଜି-୨୦ ବୈଠକ ପୂର୍ବରୁ ଆତଙ୍କ ସୃଷ୍ଟି କରିବା । ଏହି ମାମଲାରେ ଅନେକ ଲୋକଙ୍କୁ ହେପାଜତକୁ ନିଆଯାଇଛି । ସେମାନଙ୍କୁ ପଚରା ଉଚୁରା କରାଯାଉଛି । ତେବେ ଗତକାଲି ହୋଇଥିବା ଏହି ଆକ୍ରମଣରେ ରାଷ୍ଟ୍ରୀୟ ରାଇଫଲ୍ସର ପାଞ୍ଚ ଯବାନ ଶହୀଦ ହୋଇଯାଇଥିଲେ, ସେହିପରି ଜଣେ ଆହତ ହୋଇଥିଲେ । ଶହୀଦ ଯବାନମାନେ ହେଲେ ହାବିଲଦାର ମନଦୀପ ସିଂହ, ସିପାହୀ ହରକିଶନ ସିଂହ, ଲାନ୍ସ ନାୟକ କୁଲୱନ୍ତ ସିଂହ ଏବଂ ସିପାହୀ ସେବକ ସିଂହ ପଞ୍ଜାବର ନିବାସୀ ଥିବା ବେଳେ ଲାନ୍ସ ନାୟକ ଦେବାଶିଷ ବିଶ୍ୱାଳ ଓଡ଼ିଶାର ନିବାସୀ ଥିଲେ ।

ଗତକାଲି ହୋଇଥିବା ଆକ୍ରମଣରେ ଜୈଶ-ଏ-ମହମ୍ମଦ ସମର୍ଥିତ ପିପୁଲ୍ସ ଆଣ୍ଟି ଫାସିଷ୍ଟ ଫ୍ରଣ୍ଟ (ପିଏଏପଏଫ) ନିଜକୁ ଦାୟୀ କରିଛି । ସୂଚନାଥାଉକି, ଭାରତ ଚଳିତ ବର୍ଷ ଜି-୨୦ ସମିଟର ଅଧ୍ୟକ୍ଷତା କରୁଛି । ଏଥିପାଇଁ ଭିନ୍ନ ଭିନ୍ନ ସ୍ଥାନରେ ବୈଠକ ଆୟୋଜନ କରାଯାଉଛି । ଆଗାମୀ ଦିନରେ ଶ୍ରୀନଗର ଏବଂ ଲଦ୍ଦାଖର ଲେହରେ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି । ଲେହରେ ୨୬ରୁ ୨୮ ଏପ୍ରିଲ ଏବଂ ଶ୍ରୀନଗରରେ ୨୨ରୁ ୨୪ ମଇରେ ବୈଠକ ହେବ । ଏହି ବୈଠକ ପୂର୍ବରୁ ଆତଙ୍କବାଦୀମାନେ ଆକ୍ରମଣ କରି ସନ୍ଦେଶ ଦେବାକୁ ଚାହୁଁଛନ୍ତି ଯେ କାଶ୍ମୀରରେ ସ୍ଥିତି ଠିକ୍ ନାହିଁ ବୋଲି ।