ଜମ୍ମୁ ଓ କାଶ୍ମୀରରେ ୫ ଆତଙ୍କବାଦୀଙ୍କୁ ଏନକାଉଣ୍ଟର
1 min read
କାଠୁଆ: ଜମ୍ମୁ କାଶ୍ମୀରରେ ସେନାର ଏନକାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଆତଙ୍କୀ ନିହତ । କାଠୁଆରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହୋଇ ୫ ଆତଙ୍କୀ ନିପାତ ହୋଇଛନ୍ତି । ଏନକାଉଣ୍ଟରରେ ୨ ଯବାନ ଆହତ ହୋଇଛନ୍ତି ।
ଗତ ରବିବାରଠାରୁ ଚାଲିଛି ଏହି ସର୍ଚ୍ଚ ଅପରେସନ । ସୁରକ୍ଷାକର୍ମୀଙ୍କ ସହ ଗୁଳିବିନିମୟ ପରେ ଖସି ପଳାଇବାରେ ସଫଳ ହୋଇଥିଲେ ଆତଙ୍କବାଦୀ । ପାକିସ୍ତାନରୁ ନୂତନ ଭାବେ ଖୋଳାଯାଇଥିବା ସୁଡ଼ଙ୍ଗ କିମ୍ବା ଘାଟି ରାସ୍ତା ଦେଇ ଆତଙ୍କବାଦୀ ଆସିଥିବା ସନ୍ଦେହ କରାଯାଉଛି ।
ଜାଖୋଲେ ଗାଁ ନିକଟରେ ଘଟିଥିଲା ଏନକାଉଣ୍ଟର । ଏବେବି ଅନେକ ଆତଙ୍କବାଦୀ ଲୁଚିଥିବା ସନ୍ଦେହ କରାଯାଉଛି । ସେମାନଙ୍କୁ ଠାବ କରିବାକୁ ଡ୍ରୋନର ସହାୟତା ନିଆଯାଇଥିଲା । ଏହି ଅପରେସନ ଏବେ ଚତୁର୍ଥ ଦିନରେ ପହଞ୍ଚିଛି । ହୀରାନଗର ସେକ୍ଟରରୁ ପ୍ରାୟ ୩୦ କିମି ଦୂର ରାଜବାଗର ଘାଟି ଜୁଥାନାର ଜାଖୋଲେ ଗାଁ ନିକଟରେ ଘଟିଥିଲା ଏହି ଗୁଳି ବିନିମୟ ।
ଅପରେସନରେ ସେନାର ଯବାନଙ୍କ ସହ NSG, BSF ଓ CRPF ଯବାନ ସାମିଲ ହୋଇଛନ୍ତି । ଅପରେସନରେ ସୁରକ୍ଷାକର୍ମୀ ଚାରିଟି M4 କାର୍ବାଇନ୍ ମ୍ୟାଗାଜିନ୍, ଦୁଇଟି ଗ୍ରେନେଡ୍, ଗୋଟିଏ ବୁଲେଟ୍ ପୃଫ ଜ୍ୟାକେଟ୍, ସ୍ଲିପିଂ ବ୍ୟାଗ୍, ଟ୍ରାକସୁଟ୍ ଏବଂ ଖାଦ୍ୟ ସାମଗ୍ରୀର ଏକାଧିକ ପ୍ୟାକେଟ ଜବତ କରିଥିଲେ । ଏନକାଉଣ୍ଟର ସ୍ଥଳରୁ IED ତିଆରିରେ ବ୍ୟବହୃତ ସାମଗ୍ରୀ ଥିବା ପଲିଥିନ୍ ବ୍ୟାଗ ମଧ୍ୟ ମିଳିଥିଲା ।