ବୈଶାଖୀ ମେଳାରେ ଅଘଟଣ, ଭିଡ଼ ଯୋଗୁଁ ଭୁଶୁଡ଼ିଲା ପୋଲ, ୮୦ରୁ ଅଧିକ ଆହତ

1 min read

ଜମ୍ମୁ: ଜମ୍ମୁ କାଶ୍ମୀରର ଉଧମପୁରରେ ଶୁକ୍ରବାର ବୈଶାଖୀ ଉତ୍ସବ ସମୟରେ ଅଘଟଣ ଘଟିଛି । ବୈଶାଖୀ ମେଳା ସମୟରେ ଅତ୍ୟଧିକ ଭିଡ଼ କାରଣରୁ ଏକ ଫୁଟବ୍ରିଜ୍ ଭୁଶୁଡ଼ି ପଡ଼ିଛି । ଏହି ଦୁର୍ଘଟଣାରେ ୮୦ରୁ ୮୫ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ପୋଲିସ ଏବଂ ଅନ୍ୟ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଛନ୍ତି । ଘଟଣାଟି ଚେନାନି ବ୍ଲକର ବ୍ୟାନ ଗାଁରେ ଘଟିଛି ।

ଉଧମପୁରର ଚେନାନୀ ପୌରପାଳିକା ଅଧ୍ୟକ୍ଷ ମାଣିକ ଗୁପ୍ତା କହିଛନ୍ତି ଯେ ଏହି ଦୁର୍ଘଟଣାରେ ୮୦-୮୫ ଜଣ ଆହତ ହୋଇଛନ୍ତି । ସେହିପରି ୨୦-୨୫ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ୬ଜଣଙ୍କୁ ଜିଲ୍ଲା ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ସମୟର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ସେଥିରେ ଦେଖାଯାଇଛି ଯେ, ଫୁଟବ୍ରିଜ ଉପରେ ଅଧିକ ସଂଖ୍ୟାରେ ଲୋକମାନେ ଚଢିଛନ୍ତି । ସେହିପରି ପୋଲିସ ଟିମ୍ ମଧ୍ୟ ଘଟଣା ସ୍ଥଳରେ ଥିବାର ନଜର ଆସିଛନ୍ତି ।

ମିଡିଆ ରିପୋର୍ଟ ଅନୁଯାୟୀ, ଉଧମପୁରର ବ୍ୟାନ ଗାଁରେ ବୈଶାଖୀ ଉପଲକ୍ଷେ ମେଳାର ଆୟୋଜନ କରାଯାଇଥାଏ । ଯେଉଁଥିରେ ବଡ଼ ସଂଖ୍ୟାରେ ଲୋକମାନେ ସାମିଲ ହୋଇଥାନ୍ତି । ଚଳିତଥର ମଧ୍ୟ ମେଳାରେ ଅଧିକ ସଂଖ୍ୟକ ଲୋକଙ୍କ ସମାଗମ ହୋଇଥିଲା । ଏହି ସମୟରେ ବ୍ରିଜ ଉପରେ ଅଧିକ ଲୋକ ଚଢ଼ିବା କାରଣରୁ ବ୍ରିଜଟି ଭୁଶୁଡ଼ିପଡ଼ିଥିଲା । କୁହାଯାଉଛି ଯେ ଏହି ଫୁଟବ୍ରିଜ ଟିକୁ ଅଞ୍ଚଳର ଲୋକମାନେ ପଇସା ଆଦାୟ କରି ନିର୍ମାଣ କରିଥିଲେ ।