ପୁଲୱାମାରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା, ଜାରି ରହିଛି ରାତି ଅଧିଆ ସର୍ଚ୍ଚ ଅପରେସନ

ପୁଲୱାମା: ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲା ପମ୍ପୋରରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା । ଜାମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାରେ ରାତାରାତି ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ଏନେଇ ଶୁକ୍ରବାର ଦିନ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଗୁପ୍ତ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ଜିଲ୍ଲାର ଲାଲପୋରା ଅଞ୍ଚଳକୁ ଘେରି ଥିଲେ ।

ସର୍ଚ୍ଚ ଅପରେସନ କରିଥିଲେ ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି। ସେ କହିଛନ୍ତି ଯେ ସର୍ଚ୍ଚ ଅପରେସନ ବେଳେ ପ୍ରଥମେ  ଆତଙ୍କବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ ଯେଉଁଥିରେ ଦୁଇ ଜଣ ସାଧାରଣ ନାଗରିକ ଆହତ ହୋଇଥିଲେ । ସେ କହିଛନ୍ତି ଯେ ଆହତଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ସେମାନେ ଚିକିତ୍ସିତ ହେଉଛନ୍ତି ।

ସେପଟେ ସୁରକ୍ଷା ବାହିନୀ ରାତିସାରା ଏହି ଅଞ୍ଚଳକୁ ଘେରି ରହିଛି ଏବଂ ଶୁକ୍ରବାର ସକାଳେ ଏହି ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି । ସେ କହିଛନ୍ତି ଯେ ନିହତ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଉଛି ଏବଂ ତାଙ୍କ ସଂଗଠନର ଅନୁସନ୍ଧାନ କରାଯାଉଛି । ଏବଂ ଅପରେସନ ଏବେ ବି ଜାରି ରହିଛି ବୋଲି ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

Leave a Reply