ଜାମ୍ମୁ ଓ କାଶ୍ମୀରରେ ଆସନ୍ତା ୧୮ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ନିର୍ଦ୍ଧାରିତ ହେବେ ବହୁ ହେଭିୱେଟଙ୍କ ଭାଗ୍ଯ

1 min read

ନନ୍ଦିଘାେଷ ବ୍ୟୁରୋ: ଜାମ୍ମୁ ଓ କାଶ୍ମୀରରେ ଆସନ୍ତା ୧୮ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ନିର୍ଦ୍ଧାରିତ ହେବ ବହୁ ହେଭିୱେଟଙ୍କ ଭାଗ୍ଯ। ଜାମ୍ମୁ ଓ କାଶ୍ମୀରରେ ମୋଟ ଆସନ ସଂଖ୍ଯା ୯୦ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୭ ଜିଲ୍ଲାର ୨୪ ଆସନରେ ଭୋଟ ହେବ। ସେହି ଜିଲ୍ଲାଗୁଡିକ ହେଲା ପୁଲଓ୍ବାମା, ସୋପିଆନ, ଅନନ୍ତନାଗ, କୁଲଗାଓଁ, ରାମବନ, କିସ୍ତଓ୍ବାର ଓ ଡୋଡା। ପ୍ରଥମ ପର୍ଯ୍ୟାୟରେ ପାମ୍ପୋର, ତ୍ରାଲ, ପୁଲଓ୍ବାମା, ରାଜପୋରା, ଜୈନପୋରା, ସୋପିଆନ, ଡି.ଏଚ. ପୋରା, କୁଲଗାଓଁ, ଦେବସର, ଦୂରୁ, କୋକେରନାଗ, ଅନନ୍ତନାଗ ଓ୍ବେଷ୍ଟ, ଅନନ୍ତନାଗ, ଶ୍ରିଗୁଫ୍ବାରା, ସାଙ୍ଗସ ଅନନ୍ତନାଗ ଇଷ୍ଟ, ପହଲଗାଓଁ, ଇନ୍ଦରଓ୍ବାଲ, କିସ୍ତଓ୍ବାର, ପାଦେର-ନାଗସେନି, ଭଦରଓ୍ବାହା, ଡୋଡା, ଡୋଡା ଓ୍ବେଷ୍ଟ, ରାମବନ, ବାନିହାଲ ବିଧାନସଭା ଆସନରେ ଭୋଟ ହେବ।

ଗତ ୨୦୧୪ରେ ଜେକେ ପିଡିପି, ବିଜେପି ଓ ନ୍ଯାସନାଲ କନଫରେନ୍ସ କରିଥିଲେ ସରକାର। ଜେକେ ପିଡିପି ୨୮, ବିଜେପି-୨୫, ନ୍ଯାସନାଲ କନଫରେନ୍ସ- ୧୫ ଆସନ ହାସଲ କରିଥିଲେ। ମାତ୍ର ଜୁନ ୨୦୧୮ରେ ବିଜେପି ସମର୍ଥନ ପ୍ରତ୍ଯାହାର କରିବାରୁ ମେହବୁବା ମୁଫତି ଦେଇଥିଲେ ଇସ୍ତଫା। ଚଳିତ ନିର୍ବାଚନରେ କଂଗ୍ରେସ, ନ୍ଯାସନାଲ କନଫରେନ୍ସ, ବିଜେପି, ପିପୁଲ୍ସ ଡେମୋକ୍ରାଟିକ ପାର୍ଟି, ଆପନି ପାର୍ଟି, ସିପିଏମ, ଜେକେ ପିପୁଲ୍ସ କନଫରେନ୍ସ, ଡେମୋକ୍ରାଟିକ ପ୍ରୋଗ୍ରେସିଭ ଆଜାଦ ପାର୍ଟି, ଜେକେ ଆଓ୍ବାମି ଇତେହାଦ ପାର୍ଟି ଭାଗ ନେଇଛନ୍ତି।

ଚଳିତ ନିର୍ବାଚନରେ କଂଗ୍ରେସ ଓ ନ୍ଯାସନାଲ କନଫରେନ୍ସ ମେଣ୍ଟ କରିଥିବାବେଳେ ନ୍ଯାସନାଲ କନଫରେନ୍ସ ୫୧ ଓ କଂଗ୍ରେସ ୩୨ ଆସନରେ ଲଢୁଛନ୍ତି। ବିଭିନ୍ନ ସ୍ବାଧୀନ ପ୍ରାର୍ଥୀଙ୍କୁ ବିଜେପି କରୁଛି ସମର୍ଥନ। ବିଜବେହାରା ଆସନରୁ ଲଢୁଛନ୍ତି ପିଡିପିର ଇଲତିଜା ମୁଫତି। ସେ ପୂର୍ବତନ ମୁଖ୍ଯମନ୍ତ୍ରୀ ମେହବୁବା ମୁଫତିଙ୍କ କନ୍ଯା। ତାଙ୍କ ବିରୋଧରେ ବିଜେପିର ପ୍ରାର୍ଥୀ ଅଛନ୍ତି ସୋଫି ୟୁସୁଫ। ନ୍ଯାସନାଲ କନଫରେନ୍ସର ବାସିର ଅହମ୍ମଦ ଭିରି ବି ଅଛନ୍ତି ମଇଦାନରେ। କୁଲଗାଁରେ ପ୍ରାର୍ଥୀ ଅଛନ୍ତି ସିପିଏମ ହେଭିୱେଟ ଏମ.ଓ୍ବାଇ. ତାରିଗାମି। ୧୯୯୬ରୁ ଲଗାତାର ଜିତି ଆସୁଛନ୍ତି ତାରିଗାମି। ତାଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି ଜମାଏତ –ଇ-ଇସଲାମିର ସାୟର ଅହମ୍ମଦ ରେଶି।