ବଦଳିବ ମନ୍ଦିର ରୂପରେଖ ଘରେ ପହଞ୍ଚିବ ବିଶୁଦ୍ଧ ପିଇବା ପାଣି, ଯାଜପୁରରେ 5T ସଚିବଙ୍କ ପ୍ରତିଶ୍ରୁତି

1 min read

ଯାଜପୁର: ବିକାଶ ପଥରେ ଆଗଉଛି ଯାଜପୁର । ବଦଳିବ ମହାବିନାୟକ ଓ ଚଣ୍ଡୀ ମନ୍ଦିର ରୂପରେଖ । ଘରେ ଘରେ ପହଞ୍ଚିବ ବିଶୁଦ୍ଧ ପିଇବା ପାଣି । ଯାଜପୁର ଗସ୍ତରେ ଯାଇ ବିକାଶ କାର୍ଯ୍ୟର ମାରାଥନ ସମୀକ୍ଷା କରିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ୍ । ଗସ୍ତ ଅବସରରେ ବଡ଼ଚଣା ମହାବିନାୟକ ବାଳିକା ଉଚ୍ଚ ବିଦ୍ୟାଳୟ ପଡିଆରେ ପହଞ୍ଚି ଲୋକଙ୍କ ଠାରୁ ନେଇଛନ୍ତି ଅଭିଯୋଗପତ୍ର । ସବୁ କଲେଜକୁ 5Tରେ ରୂପାନ୍ତର କରୁଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତେ ସହଯୋଗ କଲେ ୬ମାସ ମଧ୍ୟରେ ପିଲାଙ୍କୁ ମିଳିବ ସ୍ମାର୍ଟ କ୍ଲାସରୁମ୍, ଇ-ଲାଇବ୍ରେରୀ ସୁବିଧା ।

ମନ୍ଦିର, ମସଜିଦ, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ସମସ୍ୟାର ହେବ ସମାଧାନ । ସେହିପରି ପାନୀୟ ଜଳ ସମସ୍ୟା ନେଇ ଆଲୋଚନା କରିବେ ଜିଲ୍ଲାପାଳ । ଘରେ ଇଂଜିନିୟର ପହଞ୍ଚି ସମସ୍ତ ବ୍ୟବସ୍ଥା କରିବେ । ମହିଳାଙ୍କ ସହ ଚାଷୀଙ୍କୁ ମଧ୍ୟ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବଡଚଣାରେ ୧୮ଟି ପଞ୍ଚାୟତରେ ପହଞ୍ଚିବ ପିଇବା ପାଣି । ଘରେ ଘରେ ପିଇବା ପାଣି ପହଞ୍ଚିବା ପାଇଁ ଖର୍ଚ୍ଚ ହେବ ୧୮୦ କୋଟି ଟଙ୍କା । ବାଲିକୁଦାରେ ମେଗାଲିଫ୍ଟ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୪୫ କୋଟି ଅନୁଦାନ ଦେଇଛନ୍ତି ।

ମାଧେଇପୁର ଜଳସେଚନ ପାଇଁ ୫କୋଟି, ନାଲିଆପୁର ରାସ୍ତା ପାଇଁ ୬କୋଟି ଟଙ୍କା ମଞ୍ଜୁର ହୋଇଛି । ସେହିପରି ବଦଳିବ ମହାବିନାୟକ ଓ ଚଣ୍ଡୀ ମନ୍ଦିର ରୂପରେଖ । ମହାବିନାୟକ ମନ୍ଦିର ଉନ୍ନତି ପାଇଁ ଡିପିଆର ପ୍ରସ୍ତୁତ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି 5T ସଚିବ ।

ବଡ଼ଚଣା ପରେ ଧର୍ମଶାଳାରେ ପହଞ୍ଚିଥିଲେ 5T ସଚିବ । ଶଙ୍ଖ ହୁଳହୁଳି ସହ ଫୁଲ ପକାଇ ଭବ୍ୟ ସ୍ବାଗତ କରିଥିଲେ ମହିଳା ଓ ଛାତ୍ରଛାତ୍ରୀ । ସରକାରଙ୍କ ବିଭିନ୍ନ ଯାଜନା ଓ ସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ 5T ସଚିବ । ୫Tରେ ସାମିଲ ହୋଇଛି ଧର୍ମଶାଳାର ଯୁକ୍ତ ଦୁଇ ଓ ଯୁକ୍ତ ୩ ମହାବିଦ୍ୟାଳୟ । ପ୍ରତି ଘରକୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ମଞ୍ଜୁର ହୋଇଛି ୩୪୨ କୋଟି ଟଙ୍କା । ଉଠା ଜଳସେଚନ ପ୍ରକଳ୍ପ ପାଇଁ ୩୫ କୋଟି ଟଙ୍କା ଅନୁଦାନ ମିଳିବ । ସେହିପରି ଜମିଜମା ସମସ୍ୟାର ଖୁବଶୀଘ୍ର ସମାଧାନ କରାଯିବ । 5T ସଚିବ ଗସ୍ତକୁ ନେଇ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

ସବୁ ଜାଗାରେ ପହଞ୍ଚି ନନଷ୍ଟପ ସମୀକ୍ଷା କରୁଛନ୍ତି 5T ସଚିବ । ବିଞ୍ଝାରପୁର ବରୁଣେଶ୍ବର ମହାଦେବଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି । ଖୁବଶୀଘ୍ର ମନ୍ଦିରର ରୂପରେଖ ବଦଳିବ ବୋଲି କହିଛନ୍ତି 5T ସଚିବ । ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଲୋକଙ୍କ ହାତରୁ ଦରଖାସ୍ତ ନେବା ସହ ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଭି.କେ ପାଣ୍ଡିଆନ୍ । ସବୁ କାମକୁ ସ୍ବଚ୍ଛତାର ସହ ଖର୍ଚ୍ଚ କରିବାକୁ ପରାମର୍ଶ ଦେଇଛନ୍ତି । ଯାଜପୁର ଜିଲ୍ଲାରେ ମିଶନଶକ୍ତି ମହିଳା ଭଲ କାମ କରୁଛନ୍ତି । ସେହିପରି ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଐତିହାସିକ ପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି 5T ସଚିବ ।