ଯାଜପୁର ଜିଲ୍ଲା ପଙ୍କପାଳ ଅଞ୍ଚଳରେ ସକ୍ରିୟ ବାଲି ମାଫିଆ
1 min read
ନନ୍ଦିଘୋଷ ବ୍ୟୁରୋ: ବାଲି ମାଫିଆଙ୍କ ଭୂସ୍ବର୍ଗ ପାଲଟିଛି ବ୍ରାହ୍ମଣୀ ନଦୀ । ପ୍ରଶାସନ ସହ ବାଲି ମାଫିଆଙ୍କ ମଧୁ ଚନ୍ଦ୍ରିକାରେ ଚାଲିଛି ବ୍ୟାପକ ବାଲି ହରିଲୁଟ୍ । ବେଆଇନ ଭାବେ ବଡ଼ ବଡ଼ ମେସିନ ଲଗାଇ ନଦୀ ଶଯ୍ୟାରୁ ଉଠାଇ ନେଉଛନ୍ତି ହଜାର ହଜାର ଟ୍ରିପ୍ ବାଲି । ଫଳରେ କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି ସରକାର। ଏଥିସହିତ ବେଆଇନ ବାଲି ଚାଲାଣ ଫଳରେ ନାନା ସମସ୍ୟା ଭୋଗୁଛନ୍ତି ଅଞ୍ଚଳବାସୀ ।
ଯାଜପୁର ଜିଲ୍ଲା ଦାନଗଦୀ ତହସିଲ ଅଧିନ ପଙ୍କପାଳ ଅଞ୍ଚଳରେ ସକ୍ରିୟ ହୋଇ ଉଠିଛନ୍ତି ବାଲି ମାଫିଆ । ଆଉ ଏହି ବାଲି ମାଫିଆଙ୍କ ଭୂସ୍ବର୍ଗ ପାଲଟିଛି ବ୍ରାହ୍ମଣୀ ନଦୀ । ବେଆଇନ ଭାବେ ନଦୀର ଦୁଇ ଘାଟରୁ ଉଠାଇ ନେଉଛନ୍ତି ହଜାର ହଜାର ଟ୍ରିପ୍ ବାଲି । ଫଳରେ ସରକାର କୋଟି କୋଟି ଟଙ୍କାର ରାଜସ୍ଵ ହରାଉଥିବା ବେଳେ ନାନା ସମସ୍ଯା ଭୋଗୁଛନ୍ତି ଅଞ୍ଚଳବାସୀ । ଯାହାକୁ ନେଇ ଦେଖାଦେଇଛି ବିବାଦ । ବ୍ରାହ୍ମଣୀ ନଦୀରେ ଚାଲିଥିବା ଏହି ବେଆଇନ ବାଲି ଘାଟକୁ ବିରୋଧ କରି ମୁହାଁମୁହିଁ ହୋଇଛନ୍ତି ବାଲି ମାଫିଆ ଓ ସ୍ଥାନୀୟ ଲୋକେ । ବାଲି ଉତ୍ତୋଳନ ସମୟରେ ଗ୍ରାମବାସୀମାନେ ସେଠାରେ ପହଞ୍ଚି ଏହାକୁ ବିରୋଧ କରିବାରୁ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ତେବେ ବିଜେପି ସରକାର ଆସିବା ପରେ ଏପରି ଜୋର ଜବରଦସ୍ତ ବେଆଇନ ଭାବେ ବାଲି ଉତ୍ତୋଳନ ହେଉଥିବା ଅଭିଯୋଗ । ପ୍ରଶାସନ ସହ ବାଲି ମାଫିଆଙ୍କ ମଧୁ ଚନ୍ଦ୍ରିକାରେ ଏପରି ବାଲି ଲୁଟ ହେଉଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେବେ ଏହି ୨ଟି ବେଆଇନ ବାଲି ଘାଟକୁ ତୁରନ୍ତ ବନ୍ଦ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି। ନଚେତ୍ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।
ଅଞ୍ଚଳରେ ପଙ୍କପାଳ-୧ ଓ ପଙ୍କପାଳ-୨ ନାମରେ ୨ଟି ବାଲି ଖାଦାନ ରହିଛି। ଦିଲ୍ଲୀପ ସାହୁ ଓ ଦୈତାରୀ ଧଳ ନାମକ ୨ ବ୍ୟକ୍ତି ଏହି ୨ଟି ବାଲି ଖାଦାନକୁ ଲିଜ୍ ନେଇଛନ୍ତି । ହେଲେ ଏହି ଲିଜଧାରୀମାନେ ସରକାରଙ୍କ ନିୟମ ଅନୁସାରେ ଖଣି ବିଭାଗରେ ଉପଯୁକ୍ତ କାଗଜପତ୍ର ଦାଖଲ କରିନାହାଁନ୍ତି । ଏବଂ ନିଜ ଲିଜ୍ ଏରିଆ ବାହାରକୁ ଯାଇ ସର୍ବସାଧାରଣ ଅଞ୍ଚଳରୁ ବଡ଼ ବଡ଼ ମେସିନ ସାହାର୍ଯ୍ୟରେ ବାଲି ଉତ୍ତୋଳନ କରୁଛନ୍ତି। ଏଥିସହିତ ବେଆଇନ ଭାବେ ନଦୀ ଶଯ୍ୟାରେ ଡଙ୍ଗା ପକାଇ ମଧ୍ୟ ବାଲି ଉତ୍ତୋଳନ କରୁଛନ୍ତି। ଫଳରେ ନଦୀ ଅତଡ଼ା ଖାଇବା ସହ ବ୍ୟାପକ ଫସଲ ନଷ୍ଟ ହେଉଛି। ଗାଁ ଭିତର ଦେଇ ବୋଲି ବୋଝେଇ ଟ୍ରକ ଚଳାଚଳ କରୁଥିବାରୁ ସ୍କୁଲ କଲେଜ ଯାଉଥିବା ଛାତ୍ରଛାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ବାରମ୍ବାର ଅଭିଯୋଗ କରିବା ପରେ ସ୍ଥାନୀୟ ତହସିଲଦାର ବାଲି ଖାଦାନରେ ପହଞ୍ଚିଥିଲେ। ହେଲେ ଖବର ପାଇ ବାଲି ମାଫିଆ ମେସିନ ଓ ଟ୍ରକ୍ ନେଇ ସେଠାରୁ ଚମ୍ପଟ ମାରିଥିଲେ । ସେପଟେ ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର କହିଛନ୍ତି।