ଆରମ୍ଭ ହୋଇଗଲାଣି ଯାତ୍ରା ଋତୁ, ଯାତ୍ରା ଜଲୱା ଦେଖି ଝୁମିଲେଣି ଦର୍ଶକ

ଯାଜପୁର ରୋଡ : ଆରମ୍ଭ ହୋଇଗଲାଣି ଯାତ୍ରା ଋତୁ । ମଞ୍ଚକୁ ଓହ୍ଲାଇଲେଣି କଳାକାର । କଳାକାରଙ୍କ ଦମଦାର ଅଭିନୟରେ ଝୁମିଲେଣି ଦର୍ଶକ । ଯାତ୍ରା ଜଲୱା ଦେଖିବାକୁ ଖଚାଖଚ ଭିଡ । ଆଉ କିଛି ଦିନ ପରେ ଆରମ୍ଭ ହୋଇଯିବ ପାର୍ବଣ ଋତୁ । କିନ୍ତୁ ତାପୂର୍ବରୁ ଆରମ୍ଭ ହୋଇଗଲାଣି ଯାତ୍ରା ଧମାକା । ରାଜ୍ୟର ବିଭିନ୍ନ ସ୍ଥାନରେ ମଞ୍ଚସ୍ଥ ହେଲାଣି ନୂଆ ନାଟକ । ନିକଟରେ ଯାତ୍ରା ଦୁନିଆରେ ପ୍ରଥମଥର ରୋବଟ ସାମିଲ କରି ଚର୍ଚ୍ଚାରେ ରହିଥିବା ଅପେରା ଯାଜ୍ଞସେନୀ ଚଳିତ ବର୍ଷ ତାର ପ୍ରଥମ ନାଟକ ବ୍ଯାସନଗର ଅଞ୍ଚଳରେ ଦର୍ଶକଙ୍କ ସାମ୍ନାରେ ପରିବେଷଣ କରିଛି । ଏଥିରେ ଗ୍ୟାଙ୍ଗଷ୍ଟାର, ଜେମ୍ସ ବଣ୍ଡ ସୁପର୍ ଷ୍ଟାର, ଦେଖ ଆଗକୁ କ’ଣ ହେଉଛି ଓ ଗାନ୍ଧୀ କ’ଣ ଭୁଲ ହୋଇଗଲା କି ଭଳି ଉଚ୍ଚକୋଟୀର ଦମଦାର ନାଟକ ପରିବେଷଣ କରାଯାଇଛି । ଏହି ଅପେରାରେ ବହୁ ନାମୀଦାମୀ କଳାକାର ସାମିଲ ହୋଇଛନ୍ତି ।
ଅପେରା ଯାଜ୍ଞସେନୀର ପ୍ରଯୋଜକ ପ୍ରସନ୍ନଜିତ ନାୟକ ଚଳିତବର୍ଷ ନାଟକ ସମେତ ଲାଇଟ ଓ ସାଉଣ୍ଡକୁ ବିଶେଷ ଭାବେ ଗୁରୁତ୍ବ ଦେଇଛନ୍ତି । ଏଥିସହିତ ଦର୍ଶକଙ୍କୁ ଆକୃଷ୍ଟ କରିବାକୁ ସୁରେଶ ପଣ୍ଡା, ଜୁଲି ପଣ୍ଡା, ରାଧା ପଣ୍ଡା, ସନ୍ଦୀପ, ଗୁଡ୍ଡୁ, ସାନମଣି ଓ ନେଉଳ ଆଦି ନାମୀଦାମୀ କଳାକାରମାନଙ୍କୁ ନିଜ ପାର୍ଟିରେ ସାମିଲ କରିଛନ୍ତି । ବ୍ୟାସନଗର ଚାନ୍ଦମା ଖେଳ ପଡ଼ିଆରେ ଚାଲିଥିବା ଯାତ୍ରା ଦେଖିବାକୁ ଦର୍ଶକଙ୍କ ଖଚାଖଚ ଭିଡ଼ ହୋଇଥିଲା । ମେଲୋଡି କାର୍ଯ୍ୟକ୍ରମ ସାଙ୍ଗକୁ ରୋମାଞ୍ଚକର କାହାଣୀ ଓ ସବୁ କଳାକାରଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖିଥିଲା। କଳା ଓ ସଂସ୍କୃତିର ମାଟି ଓଡ଼ିଶାରେ ଯାତ୍ରା ବା ଅପେରାର ବେଶ ଗୁରୁତ୍ଵ ରହିଛି । ଯାତ୍ରା ଜଗତରେ ଲାଗିରହିଥିବା ବାଦବିବାଦ ଭିତରେ ପୁଣି ଚଳିତ ଯାତ୍ରା ବର୍ଷ ପାଇଁ ମୈଦାନକୁ ଓହ୍ଲାଇଲେଣି ବିଭିନ୍ନ ଯାତ୍ରା ପାର୍ଟି ।