spot_img

Latest Posts

ଯାଜପୁରରେ ସୁଧୁରୁଛି ଝାଡାବାନ୍ତି ସ୍ଥିତି

ଯାଜପୁର ରୋଡ : ଯାଜପୁରରେ ସୁଧୁରୁଛି ଝାଡାବାନ୍ତି ସ୍ଥିତି । ଗତ ୪ ଦିନ ମଧ୍ୟରେ ଯାଜପୁର ଜିଲ୍ଲାର ବ୍ୟାସନଗର ଓ ଯାଜପୁର ପୌରାଞ୍ଚଳ ସମେତ ଧର୍ମଶାଳା, ରସୁଲପୁର, କୋରାଇ, ଦାନଗଦି ଓ ସୁକିନ୍ଦା ଆଦି ୬ ଟି ବ୍ଲକରେ ଝାଡାବାନ୍ତି ରୋଗରେ ୭୦୦ରୁ ଉର୍ଦ୍ଧ୍ବ ରୋଗୀ ଆକ୍ରାନ୍ତ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ବର୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଥିବା ବେଳେ ସରକାରୀ ଭାବେ କୌଣସି ସଠିକ୍ ତଥ୍ୟ ଦିଆଯାଇନାହିଁ । ତେବେ ଗତକାଲିଠାରୁ ଆକ୍ରାନ୍ତଙ୍କ ସଂଖ୍ୟା କମିଛି  । ଅର୍ଦ୍ଧାଧିକ ଲୋକ ଚିକିତ୍ସିତ ହୋଇ ସୁସ୍ଥ ଅବସ୍ଥାରେ ଘରକୁ ଫେରିଲେଣି । ରାଜ୍ୟ ଏବଂ ଜିଲ୍ଲା ସ୍ବାସ୍ଥ୍ୟ ଟିମ୍ ସହିତ ବିଭିନ୍ନ ସ୍ବାସ୍ଥ୍ୟ ଅନୁଧ୍ୟାନକାରୀ ଦଳ ମେଡିକାଲ୍ ଓ ଅଞ୍ଚଳ ଗସ୍ତ କରି ସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରଖିଛନ୍ତି । ବିଭିନ୍ନ ପ୍ରକାରର ନମୁନା ସଂଗ୍ରହ କରାଯାଇ ପରୀକ୍ଷାନିରୀକ୍ଷା ପାଇଁ ପଠାଯାଇଛି । ୪ ଦିନ ଭିତରେ ଯାଜପୁର ରୋଡ଼ ମେଡିକାଲରେ ୨୯୦ ଜଣ ଆକ୍ରାନ୍ତ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ଏଠାରେ ବର୍ତମାନ ୩୪ଜଣ ଚିକିତ୍ସାଧୀନ ଥିବା ବେଳେ ୧୮ ଜଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ କଟକ ବଡ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି।  ୪ ଦିନରେ ଦାନଗଦି ମେଡିକାଲରେ ୧୨୮ଜଣ ଆକ୍ରାନ୍ତ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ୧୪ ଜଣଙ୍କୁ କଟକ ଓ ଜିଲ୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟମାନେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏଠାରେ ବର୍ତମାନ ୨୬ ଜଣ ଚିକିତ୍ସାଧୀନ ଅଛନ୍ତି । ସେହିପରି କୋରେଇ ମେଡ଼ିକାଲରେ ଏବେ ସୁଦ୍ଧା ୧୩୩ ଜଣ ଆକ୍ରାନ୍ତ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ବେଳେ ୧୦୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାପାଳ ଆଜି ବିଭିନ୍ନ ବ୍ଲକର ଅନେକ ଗ୍ରାମକୁ ଯାଇ ସ୍ଥିତି ପରଖୁଛନ୍ତି। ନଳକୂପ ଓ ଓଭରହେଡ ପାଣି ଟାଙ୍କି ଆଦି ଜଳ ଉତ୍ସ ଗୁଡିକର ବିଶୁଦ୍ଧିକରଣ ଏବଂ ସ୍ବଚ୍ଛତା ନେଇ ତଦାରଖ କରିଛନ୍ତି। ସେପଟେ ଜନସ୍ଵାସ୍ଥ୍ଯ ନିର୍ଦ୍ଦେଶକ କହିଲେ, ୨୪ ଘଣ୍ଟା ମଧ୍ଯରେ ସ୍ଥିତି ହେବ ନିୟନ୍ତ୍ରଣାଧୀନ ।

Latest Posts

Don't Miss